ପୁଣି ଥରିଲା ଜାପାନ । ଜାପାନର ଇଜୁ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୯ । ଏହି ଭୂମିକମ୍ପ ଯୋଗୁ ସୁନାମି ଚେତାବନୀ ଜାରି କରିଛି ଜାପାନ ପାଣିପାଗ ବିଭାଗ । ଜାପାନର ରାଜଧାନୀ ଟୋକିଓର ଦକ୍ଷିଣରେ ରିମୋଟ ଆଇଲାଣ୍ଡରେ ସୁନାମି ଚେତାବନୀ ଜାରି କରାଯାଇଛି । ତେବେ ଭୂକମ୍ପ ଯୋଗୁ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟାରେ ଇଜୁ ଦ୍ୱୀପରେ ଭୂମିକମ୍ପର ଶକ୍ତିଶାଳୀ ଝଟ୍କା ଅନୁଭୂତ ହୋଇଛି । ଏହାର ପ୍ରଭାବରେ ୧ ମିଟର ପର୍ଯ୍ୟନ୍ତ ଉଚ୍ଚ ଲହରୀ ମାଡ଼ିଆସିବାର ଆଶଙ୍କା କରାଯାଉଛି ।
ଗତ ମାସରେ ଦକ୍ଷିଣ ଜାପାନର ମିୟାଜାକି ପ୍ରିଫେକ୍ଟରରେ ୭.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଆସିଥିଲା । ଏଥିରେ ୧୬ ଜଣ ଆହତ ହୋଇଥିଲେ । ଏହା ସହିତ ଛୋଟ ସୁନାମି ମଧ୍ୟ ସୃଷ୍ଟି ହୋଇଥିଲା ।
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଭିତରେ ବସି ରୁହନ୍ତୁ ।
୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।