ଗୁଜରାଟ: ଡିଭାଇଡର୍ ଭାଙ୍ଗି ଅନ୍ୟ ଗାଡ଼ିକୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୫ ଛାତ୍ରଙ୍କ ସମେତ ୭ ମୃତ

ଗୁଜରାଟର ଜୁନାଗଡ଼ରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ କଲେଜ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ପ୍ରାୟ ୮ଟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଜେତପୁର-ଭେରାଭଲ୍ ରାଜପଥରେ ଭଣ୍ଡୁରୀ ଗ୍ରାମ ନିକଟରେ ଦ୍ରୁତ ଗତିରେ ଯାଉଥିବା ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଏକ କାରରେ ୫ ଜଣ କଲେଜ ଛାତ୍ର ପରୀକ୍ଷା ଦେବା ପାଇଁ ଯାଉଥିଲେ । ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଏକ କାରରେ ଯାତ୍ରା କରୁଥିବା ଦୁଇ ଜଣଙ୍କର ମୃତ୍ୟୁ ହେବା ଖବର ରହିଛି ।

ପୋଲିସ ସୂଚନା ଅନୁସାରେ, ଏକ କାର୍ ଡିଭାଇଡର ଭାଙ୍ଗି ଅନ୍ୟ ଦିଗରୁ ଆସୁଥିବା କାରକୁ ଜୋରଦାର୍ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଦୁଇଟି ଯାକ କାର୍ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର୍ ହୋଇଯାଇଛି । ଦୁର୍ଘଟଣା ପରେ ଏକ କାରରେ ନିଆଁ ମଧ୍ୟ ଲାଗି ଯାଇଥିଲା ।

ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ କହିଛି ଯେ ରାଜପଥରେ ଉଭୟ ପାର୍ଶ୍ୱରୁ କାର୍ ଦ୍ରୁତ ଗତିରେ ଆସୁଥିଲା । ଏହି ସମୟରେ ଏକ କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡର ସହ ଧକ୍କା ହୋଇଥିଲା । ଏହାପରେ ବିପରୀତ ଦିଗରୁ ଆସୁଥିବା କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ଏକ କାରରେ ଥିବା ସିଏନଜି ସିଲିଣ୍ଡର ଫାଟି ଯାଇଥିଲା, ଯାହାଫଳରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।