ରାଜସ୍ଥାନ: ବସ୍ ଧକ୍କାରେ କାର୍ ଭାଙ୍ଗି ଚୁରମାର୍, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ
ରାଜସ୍ଥାନର କରୌଲି ଜିଲ୍ଲାରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଘରୋଇ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଓ ବସ୍ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି । ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଖବର ପାଇ ଡିଏମ୍ ନିଲାଭ ସକ୍ସେନା, ଏସପି ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ଓ ଏଏସପି ଗୁମନାରାମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ କାର୍ ଓ ବସରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତେବେ କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ, ପୁଅ-ଝିଅ ଏବଂ ଜଣେ ମହିଳା ସମ୍ପର୍କୀୟ ଅଛନ୍ତି । ମୃତକଙ୍କ କାରରୁ ମିଳିଥିବା ଆଧାର କାର୍ଡରୁ ସମସ୍ତଙ୍କୁ ଚିହ୍ନଟ କରାଯାଇଛି ।
କୁହାଯାଉଛି ଯେ ମଧ୍ୟପ୍ରଦେଶର ଇନ୍ଦୋରରୁ କିଛି ଲୋକ କାରରେ ବସି କୈଲା ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଏହି ଲୋକମାନେ ଦେବୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ସେମାନଙ୍କ କାର୍ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲା । କାର୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିମାନେ ଇନ୍ଦୋରର ମୂଳ ବାସିନ୍ଦା ଥିଲେ ।
ଏହିପରି କିଛି ଦିନ ତଳେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏଠାରେ କଣ୍ଟେନର ଟ୍ରକ୍ ଏକ କାର୍ ଉପରେ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।