ଉଦୟପୁରରେ ଭୟଙ୍କର ଦୁର୍ଘଟଣା, କାର୍ ଓ ଡମ୍ପର ମଧ୍ୟରେ ଧକ୍କା, ୫ ଯୁବକ ମୃତ

ରାଜସ୍ଥାନର ଉଦୟପୁରରେ ଗୁରୁବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କାର୍ ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୫ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଯୁବକମାନେ ରାସ୍ତାର ଭୁଲ ପାର୍ଶ୍ୱରେ କାର୍ ଚଳାଉଥିଲେ । ମୃତକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହେଡ୍ କନଷ୍ଟେବଳଙ୍କ ପୁଅ । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଦୁର୍ଘଟଣା ଘଟିଛି ସୁଖେର ଥାନା ଅଧୀନ ଅମ୍ବେରୀ ନିକଟ ରାଜପଥରେ । ଦେବାରୀ ଆଡକୁ କାରଟି ଭୁଲ୍ ପାର୍ଶ୍ୱରେ ଯାଉଥିଲା । ଏଥିରେ ଥିଲେ ୫ ଯୁବକ । ତେବେ କାରଟି ରାସ୍ତାରେ ଯାଉଥିବା ବେଳେ ଡମ୍ପର ସହିତ ଧକ୍କା ହୋଇଥିଲା । ପୋଲିସ ପହଞ୍ଚି ପଥଚାରୀମାନଙ୍କ ସହାୟତାରେ କାର୍ ଭିତରୁ ସମସ୍ତ ଯୁବକଙ୍କୁ ବାହାର କରିଥିଲା । ସେମାନଙ୍କୁ ତୁରନ୍ତ ପାଖ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ଧରି ରାଜପଥ ଜାମ୍ ରହିଥିଲା । ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ପରେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା ।

ପୋଲିସ ଅଧିକାରୀ କହିଛନ୍ତି ଯେ ସ୍ଲୋପ୍ ଯୋଗୁ ଡମ୍ପରର ବେଗ ଅଧିକ ଥିଲା । ଡମ୍ପର ଚାଳକ କାରକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଜାଗା ପାଇ ନ ଥିଲେ । ଫଳରେ କାର ସହିତ ଏହା ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।

You might also like