ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ କାର୍ ଗଭୀର ଖାଇକୁ ଖସି ପଡ଼ିଛି । ଦୁର୍ଘଟଣା ଘଟିଛି ଚୌହାରଘାଟିର ଭରଧାଣରେ । ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ କାରରେ ଥିବା ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ସମସ୍ତେ ଗୋଟିଏ ଗାଁର ବାସିନ୍ଦା । ବରୋଟରେ ଏକ ବିବାହ ସମାରୋହକୁ ଯାଇ ବିଳମ୍ବିତ ରାତିରେ ସେମାନେ ଘରକୁ ଫେରୁଥିଲେ ।
ରବିବାର ସକାଳେ ଏହି ଦୁର୍ଘଟଣା ବିଷୟରେ ଜଣାପଡ଼ିଥିଲା । ଜଣେ ମେଣ୍ଢାପାଳକ ପ୍ରଥମେ ଏହା ଦେଖିବାକୁ ପାଇଥିଲେ । ରାସ୍ତାରୁ ପ୍ରାୟ ୭୦୦ ମିଟର ତଳେ ଏକ କାର୍ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବାର ଦେଖି ସେ ପାଖ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ପଞ୍ଚାୟତ ପ୍ରତିନିଧିମାନେ ସେଠାରେ ପହଞ୍ଚି ସ୍ଥାନୀୟ ପୋଲିସକୁ ଏ ନେଇ ସୂଚନା ଦେଇଥିଲେ ।
ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ରେସକ୍ୟୁ କାର୍ଯ୍ୟ ଆରମ୍ଭ କରିଥିଲା । କ୍ଷେତରେ ଏଣେତେଣେ ପଡ଼ିଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରି ରାସ୍ତା ଉପରକୁ ଅଣାଯାଇଥିଲା । ମୃତ ଯୁବକମାନଙ୍କ ପରିଚୟ ଜଣାପଡ଼ିଛି । ସେମାନେ ହେଲେ, ରାଜେଶ, ଗଙ୍ଗୁ, କର୍ଣ୍ଣ, ସାଗର ଓ ଅଜୟ । ଏମାନଙ୍କ ମଧ୍ୟରୁ ଜଣେ ୧୬ ବର୍ଷର ଥିବା ବେଳେ ବାକି ଅନ୍ୟମାନଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ବୋଲି ପୋଲିସ କହିଛି ।
ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ମଣ୍ଡି ଏସପି କହିଛନ୍ତି, ଏ ନେଇ ମାମଲା ରୁଜୁ କରାଯାଇଛି । ଦୁର୍ଘଟଣା କେଉଁ କାରଣରୁ ଘଟିଲା, ତାହାର ତଦନ୍ତ କରାଯିବ ।