ଜମ୍ମୁ କଶ୍ମୀର : ଥଣ୍ଡା ଯୋଗୁଁ ଘରେ ନିଆଁ ଜାଳି ଶୋଇଥିଲେ, ଶ୍ବାସରୁଦ୍ଧ ହୋଇଗଲା ଚାଲିଗଲା ପରିବାରର ୫ ଜୀବନ

ଜମ୍ମୁ କଶ୍ମୀର ଶ୍ରୀନଗରରେ ଅଭାବନୀୟ ଘଟଣା । ବନ୍ଦ ଘରୁ ମିଳିଲା ୫ ଜଣଙ୍କ ମୃତଦେହ । ଶୋଇଥିବା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ପରିବାରର ୫ ଜୀବନ । ସ୍ବାମୀ-ସ୍ତ୍ରୀ ଏବଂ ୩ ପିଲାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଶ୍ରୀନଗର ପନ୍ଦ୍ରେଥନରେ ଭଡ଼ାରେ ରହୁଥିବା ପରିବାରର ପାଞ୍ଚ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ତିନି ପିଲା ଅଛନ୍ତି । ଏମାନେ ମୁଖ୍ୟତଃ ବାରାମୂଳାର ବାସିନ୍ଦା ଥିଲେ । ଶ୍ରୀନଗରର ପନ୍ଦ୍ରେଥନ ଅଞ୍ଚଳରେ ଭଡାରେ ରହୁଥିଲେ ।

ପୂରା ଅଞ୍ଚଳରେ ଅଧିକ ଥଣ୍ଡା ଜାରି ରହିଥିବାରୁ ଘରେ ସମସ୍ତେ କବାଟ ବନ୍ଦ କରି ଶୋଇଥିଲେ । ତେବେ ଘରେ ଜଳା ଯାଇଥିବା ନିଆଁ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତକମାନେ ହେଲେ ଏଜାଜ ଅହମ୍ମଦ ଭଟ୍ଟ (୩୮), ତାଙ୍କ ପତ୍ନୀ ସଲୀମା (୩୨) ଏବଂ ତାଙ୍କ ତିନି ସନ୍ତାନ, ଅରିବ (୩), ହମଜା (୧୮) ଏବଂ ଆଉ ଜଣେ ୧ ମାସର ଶିଶୁ । ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ ଉପ-ରାଜ୍ୟପାଳ ମନୋହ ସିହ୍ନା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲା ଶିବାନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଘରେ ନିଆଁ ଲାଗିବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ହୋଇଥିଲେ । ଶିବାନଗରରେ ଭଡ଼ାରେ ରହୁଥିବା ଅବସରପ୍ରାପ୍ତ ଡିଏସପିଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିବାରୁ ସେମାନେ ଉଠି ପଡ଼ିଥିଲେ । ମାତ୍ର ଚାରିଆଡ଼େ ଧୂଆଁମୟ ହୋଇ ଯାଇଥିବାରୁ ଅଣନିଶ୍ୱାସୀ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଜମ୍ମୁ କଶ୍ମୀରରେ ପ୍ରବଳ ଥଣ୍ଡା ଜାରି ରହିଛି । ଉତ୍ତର କଶ୍ମୀର ବାନ୍ଦିପୁରା, ବାରାମୁଳା ଏବଂ କୁପୱାଡା ଜିଲ୍ଲାର ଅନେକ ଅଞ୍ଚଳରେ ତୁଷାରପାତ ହେଉଛି । ରାତିରେ ତାପମାତ୍ରା ହ୍ରାସ ପାଉଛି । ବିଭିନ୍ନ ସ୍ଥାନରେ ତାପମାତ୍ରା ଶୂନ ପାଖାପାଖି ରହିଛି ।