ଛତିଶଗଡ଼: ସୁକ୍‌ମାରେ ୫ ନକ୍ସଲ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଛତିଶଗଡ଼ର ସୁକମା ଜିଲ୍ଲାରେ ୫ ନକ୍ସଲଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବ୍ୟାରେଲ ଗ୍ରେନେଡ ଲଞ୍ଚର୍‌ ସେଲ୍‌, ଗୋଟିଏ ଟିଫିନ୍ ବୋମା ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହି ନକ୍ସଲମାନେ ଜଗରଗୁଣ୍ଡା ଥାନା ଅଞ୍ଚଳରୁ ଧରାପଡ଼ିଛନ୍ତି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ବସ୍ତର ଫାଇଟର୍ସ ଏବଂ ଜିଲ୍ଲା ବପଲର ଏକ ମିଳିତ ଟିମ୍‌ ଡୋମିନେଶନ ଅପରେସନ୍‌ରେ ବାହାରିଥିବା ବେଳେ ଏହି ନକ୍ସଲମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଅଧିକାରୀ କହିଛନ୍ତି ଯେ ଜଗରଗୁଣ୍ଡା ନିକଟ ସିଙ୍ଗାଭରମ ଟର୍ନ ପାଖରେ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ସମ୍ପର୍କରେ ନକ୍ସଲମାନେ ଜାଣିବାକୁ ପାଇଥିଲେ । ସିଭିଲ ଡ୍ରେସ ପିନ୍ଧିଥିବା କିଛି ନକ୍ସଲ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଏମାନେ ସମସ୍ତେ ଚିନ୍ତାଲନାର ଥାନା ଅଞ୍ଚଳର ବାସିନ୍ଦା ଏବଂ ସୁରପଙ୍ଗୁଡାରେ ମିଲିସିଆ ସଦସ୍ୟ ଭାବରେ ସକ୍ରିୟ ଥିଲେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଗିରଫ ନକ୍ସଲମାନଙ୍କଠାରୁ ଦୁଇଟି ଦେଶୀ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (ବିଜିଏଲ୍) ସେଲ୍‌, ଗୋଟିଏ ଟିଫିନ୍ ବୋମା, ୭ଟି ରଡ୍‌, ୯ଟି ଡିଟୋନେଟର, ବିସ୍ଫୋରକ ପାଉଡର ଏବଂ ଆଇଇଡି ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

You might also like