ଭାରତରେ ବଢ଼ୁଛି HMPV ଭାଇରସ୍, ଏବେ ପୁଡୁଚେରୀରେ ୫ ବର୍ଷର ଝିଅ ସଂକ୍ରମିତ

ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPVର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏବେ ପୁଡୁଚେରୀରେ ଜଣେ ୫ ବର୍ଷର ଝିଅ ସଂକ୍ରମିତ ହୋଇଛି । ଜ୍ୱର, କାଶ ଓ ସର୍ଦ୍ଦି ଭଳି ଲକ୍ଷଣ ଦେଖାଯିବା ପରେ ପୁଡୁଚେରୀର JIPMERରେ ଝିଅର ନମୁନା ପରୀକ୍ଷା କରାଯାଇଥିଲା । ଯାଞ୍ଚରୁ ଝିଅଟି HMPVରେ ସଂକ୍ରମିତ ମିଳିଛି ।
ଡାକ୍ତରଙ୍କ ଅନୁସାରେ, ଝିଅଟି ସୁସ୍ଥ ହେଉଛି ଏବଂ ହସ୍ପିଟାଲରେ ତା’ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଝିଅ ଏବଂ ତା’ ଆଖପାଖର ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି ।
ଭାରତରେ ଏବେ HMPV ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପୁଡୁଚେରୀ ପୂର୍ବରୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଦେଶରେ ୧୨ଟି HMPV ମାମଲା ରିପୋର୍ଟ ହୋଇଥିଲା ।
ଚୀନରୁ ବାହାରିଥିବା ଏହି ଭୂତାଣୁ ସଂସ୍ପର୍ଶରେ ବର୍ତ୍ତମାନ ନିକଟବର୍ତ୍ତୀ ଅନେକ ଦେଶ ମଧ୍ୟ ଆସିଛନ୍ତି । କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି ଏହି ରୋଗ । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । HMPV ଭାଇରସ୍ ପ୍ରଥମ ଥର ୨୦୦୧ରେ ଚିହ୍ନଟ ହୋଇଥିଲା । ଜଣେ ଡଚ୍ ବିଶେଷଜ୍ଞ ଶ୍ଵାସରୋଗରେ ପୀଡ଼ିତ ଶିଶୁର ନମୁନାରେ ଏହି ଭାଇରସକୁ ଚିହ୍ନଟ କରିଥିଲେ ।
HMPVର ଲକ୍ଷଣ ମଧ୍ୟ କରୋନା ଭଳି । କାଶ, ଜ୍ୱର, ନାକ ସଂକ୍ରମଣ, ଗଳା ଯନ୍ତ୍ରଣା, ନିଶ୍ୱାସ ନେବାରେ ସମସ୍ୟା ଆଦି ଏହାର ଲକ୍ଷଣ । ଦୁଇ ବର୍ଷରୁ କମ୍ ଶିଶୁ, ବୃଦ୍ଧ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକେ ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି । ତେବେ ଏହାରି ଭିତରେ ଭାରତ ସରକାର ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।