କି ହେଲାରେ ବାବା..! ପରିବା ଦୋକାନରୁ ୫୦ କିଲୋ ଲେମ୍ବୁ ଧରି ଛୁ ମାରିଲା ଚୋର; ରସୁଣ, ପିଆଜକୁ ବି ଛାଡ଼ିଲାନି

ଉତ୍ତର ପ୍ରଦେଶର ଶାହଜାହାନପୁରରୁ ଏକ ଅଜବ ପ୍ରକାର ଚୋରି ମାମଲା ସାମ୍ନାକୁ ଆସିଛି। ଏଠାରେ ଚୋରମାନେ କୌଣସି ସୁନା, ରୁପା ଗହଣା ନୁହେଁ, ବରଂ ଦିନକୁ ଦିନ ମହଙ୍ଗା ହେଉଥିବା ଲେମ୍ବୁ ଉପରେ ଆଖି ପକାଇଛନ୍ତି। ଏଠି ଥିବା ଏକ ପରିବା ଦୋକାନରୁ ଚୋରମାନେ ୫୦ କିଲୋ ଲେମ୍ବୁ ଚୋରି କରି ନେଇଛନ୍ତି। ଏପରି କି, ପିଆଜ, ରସୁଣକୁ ମଧ୍ୟ ଛାଡ଼ି ନାହାନ୍ତି। ଏବେ ଲେମ୍ବୁ ଦର ଆକାଶଛୁଅାଁ ରହିଛି, ଯେଉଁ କାରଣରୁ ଏହି ଲେମ୍ବୁ ଚୋରିକୁ ନେଇ ବେପାରୀମାନେ ହତାଶ ହୋଇ ପଡ଼ିଛନ୍ତି।

ଘଟଣା ଘଟିଛି ତିଲହର ଅଞ୍ଚଳର ବଜରିଆ ପରିବା ମଣ୍ଡିରେ। ଏଠି ମନୋଜ କାଶ୍ୟପଙ୍କର ଏକ ପରିବା ଗୋଦାମ ଏବଂ ଦୋକାନ ରହିଛି, ଯେଉଁଠି ସେ କେବଳ ଲେମ୍ବୁ, କଞ୍ଚା ଲଙ୍କା, ପିଆଜ ଏବଂ ରସୁଣ ବିକନ୍ତି। ତାଙ୍କ କହିବା ଅନୁସାରେ, ବିଳମ୍ବିତ ରାତିରେ ଚୋରମାନେ ତାଙ୍କ ଗୋଦାମ ଉପରେ ଆଖି ପକାଇ ମହଙ୍ଗା ଲେମ୍ବୁ ଏବଂ ଅନ୍ୟାନ୍ୟ ପରିବା ଚୋରି କରି ନେଇଛନ୍ତି।

ଖୋଲା ବଜାରରେ ଲେମ୍ବୁ ଦର ବର୍ତ୍ତମାନ ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଥିବାବେଳେ ଏପଟେ ଚୋରି ହୋଇଥିବା ଲେମ୍ବୁ ଦାମ୍‌ ପାଖାପାଖି ୧୦ ହଜାର ଟଙ୍କା ବୋଲି କୁହାଯାଉଛି। ତେବେ ଏ ପର୍ଯ୍ୟନ୍ତ ବ୍ୟବସାୟୀ ଜଣକ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି। ତାଙ୍କ କହିବା ହେଲା, ପୋଲିସରେ ଅଭିଯୋଗ କଲେ କିଛି ଲାଭ ନାହିଁ। ସେପଟେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.