ଆଫଗାନିସ୍ତାନରେ ଦୁଇଟି ସଡ଼କ ଦୁର୍ଘଟଣା, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଆଫଗାନିସ୍ତାନରେ ଦୁଇଟି ସଡ଼କ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ୭୬ ଜଣ ଆହତ ହୋଇଛନ୍ତି । ଜଣେ ସରକାରୀ ଅଧିକାରୀ ଗୁରୁବାର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଗଜନୀ ପ୍ରଦେଶର ଗଭର୍ଣ୍ଣରଙ୍କ ପ୍ରବକ୍ତା ହାଫିଜ ଓମାର କହିଛନ୍ତି ଯେ ବୁଧବାର ବିଳମ୍ବିତ ରାତିରେ କାବୁଲ-କାନ୍ଧାର ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓ ତେଲ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା ହୋଇଥିଲା । ସେହିପରି ରାଜପଥର ଅନ୍ୟ ଏକ ସ୍ଥାନରେ ଦ୍ଵିତୀୟ ଦୁର୍ଘଟଣା ଘଟିଥିଲା ।

ସରକାରୀ ଅଧିକାରୀ କହିଛନ୍ତି, ଆହତମାନଙ୍କୁ ଗଜନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ମୃତଦେହଗୁଡ଼ିକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଗୁରୁତର ଆହତଙ୍କୁ କାବୁଲ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତକମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି ।

ଏହିପରି ଚଳିତ ସପ୍ତାହ ଆରମ୍ଭରେ ମଧ୍ୟ ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦ ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଗତ ୧୬ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ଏକ ପରିବାରକୁ ନେଇ ଯାଉଥିବା ଗାଡ଼ିଟି ଗଭୀର ଖାଇକୁ ଖସିପଡ଼ିଥିଲା ।

ପୂର୍ବରୁ ବି ଉତ୍ତର ବଦଖଶାନ ପ୍ରଦେଶର ଏକ ଜିପ୍ ନଦୀରେ ଖସିପଡ଼ିବାରୁ ୬ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିଲେ । କହି ରଖୁଛୁ ଯେ ଚାଳକମାନଙ୍କର ବେପରୁଆ ଗାଡ଼ି ଚାଲନା, ସୁରକ୍ଷା ବ୍ୟବସ୍ଥାର ଅଭାବ ଏବଂ ରାସ୍ତାଗୁଡ଼ିକର ଖରାପ ଅବସ୍ଥା ଯୋଗୁ ଆଫଗାନିସ୍ତାନରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି ।