ଭୂମିକମ୍ପରେ ଥରିଲା ତୁର୍କୀ, ତୀବ୍ରତା ୬.୧

ଭୂମିକମ୍ପରେ ଥରିଲା ତୁର୍କୀ । ବୁଧବାର ପୂର୍ବ ତୁର୍କୀରେ ଅନୁଭୂତ ହୋଇଛି ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧ । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍ସି)ର ସୂଚନା ଅନୁସାରେ, ଭୂପୃଷ୍ଠଠାରୁ ୯ କିଲୋମିଟର ଗଭୀରରେ ଭୂମିକମ୍ପ ଆସିଥିଲା । ତେବେ କୌଣସି କ୍ଷୟକ୍ଷତିର ତତ୍କାଳ ରିପୋର୍ଟ ମିଳିନାହିଁ ।
କହି ରଖୁଛୁ, ଗତ ବର୍ଷ ଫେବୃୟାରୀରେ ତୁର୍କୀ-ସିରିଆ ଭୂମିକମ୍ପ ବେଳେ ତୁର୍କୀରେ ଶେଷ ଥର ପାଇଁ ବଡ଼ ଭୂମିକମ୍ପ ଆସିଥିଲା । ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ୭.୮ ତୀବ୍ରତାର ଭୂମିକମ୍ପରେ ତୁର୍କୀରେ ୯,୦୫୭ ଜଣ ଏବଂ ସିରିଆରେ ୨,୯୯୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧୨,୦୪୯ ।
ଏନ୍ଡିଆର୍ଏଫ୍ ଏବଂ ଭାରତୀୟ ସେନାର ୨୫୦ରୁ ଅଧିକ ଯବାନ ତୁର୍କୀ ଓ ସିରିଆରେ ‘ଅପରେସନ ଦୋସ୍ତ’ ଅଧୀନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଭିତରେ ବସି ରୁହନ୍ତୁ ।
୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।