ଜାପାନରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୬.୫, ସୁନାମୀ ଚେତାବନୀ ଜାରି

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ସୋମବାର ଦକ୍ଷିଣ-ପଶ୍ଚିମ ଜାପାନରେ ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହାପରେ ଦେଶରେ ପାଣିପାଗ ବିଜ୍ଞାନ କେନ୍ଦ୍ର ସୁନାମୀ ଚେତାବନୀ ଜାରି କରିଛି । ସ୍ଥାନୀୟ ସମୟାନୁସାରେ, ରାତି ୯ଟା ୧୯ ମିନିଟରେ ଭୂମିକମ୍ପ ଆସିଥିଲା । ଭୂମିକମ୍ପର ଗଭୀର ଥିଲା ୩୭ କିଲୋମିଟର ।

କ୍ୟୁଶୁ ଦ୍ଵୀପର ମିୟାଜାକି ପ୍ରିଫେକ୍ଚର ନିକଟରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା । ନିକଟସ୍ଥ କୋଚ୍ଚି ପ୍ରାନ୍ତ ପାଇଁ ସୁନାମୀ ଚେତାବନୀ ଜାରି କରାଯାଇଛି । ପାଣିପାଗ ବିଭାଗ ୧ ମିଟର ଯାଏ ଲହରୀ ଉଠିବାର ଆଶଙ୍କା କରିଛି । ତେବେ ଭୂମିକମ୍ପର ସମ୍ପୂର୍ଣ୍ଣ ପ୍ରଭାବ ତୁରନ୍ତ ଜଣାପଡ଼ି ନାହିଁ । ଏଥିରେ କେହି ମୃତାହତ ହେବାର କିଛି ଖବର ନାହିଁ ।

ନିକଟରେ ଚିଲିରେ ମଧ୍ୟ ଏହିପରି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୬.୨ ।  ଚିଲିର କାଲାମା ନିକଟରେ ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା ।

ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?

୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି ଟେବୁଲ୍ କି ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍‌ର ଏକ କୋଣରେ ଯାଇ ବସନ୍ତୁ ।

୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।

୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଭିତରେ ବସି ରୁହନ୍ତୁ ।

୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।