ଆସାମ-ମିଜୋରାମ ସୀମାରେ ହିଂସା, ବଳିପଡ଼ିଲେ ୬ ପୋଲିସ

ନୂଆଦିଲ୍ଲୀ: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତର ଦୁଇ ଦିନ ପରେ ସୋମବାର ଆସାମ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପୁଣିଥରେ ସୀମା ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ୨ ରାଜ୍ୟର ପୁଲିସ ଏବଂ ନାଗରିକ ମହାଁମୁହିଁ ହୋଇଛନ୍ତି। ମାମଲା ବିଗିଡ଼ିବାରୁ ସୀମାରେ ଲାଠି ଚାଳନା, ଲୁହବୁହା ଗ୍ୟାସ୍‌, ପ୍ରୟୋଗ ସହିତ ଗୁଳି ମଧ୍ୟ ଫୁଟିଥିବା ଜଣାପଡିଛି। ଏହି ହିଂସାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦାବି କରିଛନ୍ତି। ଟେକା ପଥର ମାଡ଼ରେ ବହୁସଂଖ୍ୟାରେ ଆସାମ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣରେ କେତେକ ସରକାରୀ ଗାଡ଼ି ଭାଙ୍ଗିରୁଜି ଯାଇଛି। ଚାଚର ଜିଲା ଡେପୁଟି କମିଶନରଙ୍କ ଗାଡ଼ି ଭାଙ୍ଗିଯାଇଛି। ସୀମାରେ ଗୁଳିମାଡ଼ ଜାରି ରହିଥିବାରୁ ଆସାମର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଙ୍ଗଲ ମଧ୍ୟରେ ରହିଛନ୍ତି। ଚାଚର ଏସ୍‌ପି ନିମ୍ବଲକର ବୈଭବ ଚନ୍ଦ୍ରକାନ୍ତଙ୍କ ସମେତ ୫୦ ଜଣ ପୋଲିସ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଟୁଇଟର ଯୁଦ୍ଧରେ ଲିପ୍ତ ଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଆସାମ ପୋଲିସର ୬ ସାହସୀ ଯବାନ ସେମାନଙ୍କ ଜୀବନକୁ ବଳି ଦେଇଥିବା ଜାଣି ସେ ଗଭୀର ମର୍ମାହତ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି।

ପୂର୍ବରୁ ଶାହା ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସୀମା ବିବାଦର ସମାଧାନ ସୂତ୍ର ବାହାର କରିବାକୁ କହିଥିଲେ। ବିବାଦର ସମାଧାନ କରି ଶାନ୍ତି ବଜାୟ ରଖିବା ପାଇଁ ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀ ସହମତ ହୋଇଥିଲେ। ଏହା ସତ୍ତ୍ୱେ ସୋମବାର ପୁଣିଥରେ ହିଂସାକାଣ୍ଡ ଘଟିଯାଇଛି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ହିଂସା ଘଟଣାର ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲୋକମାନେ ଲାଠି ଧରିଥିବା ଦେଖାଯାଇଛି। ଏହା ତୁରନ୍ତ ବନ୍ଦ ହେବା ଦରକାର ବୋଲି ସେ କହିବା ସହ ଶାହାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ଟୁଇଟରରେ ଲେଖିଛନ୍ତି, ମିଜୋରାମ ଏସ୍‌ପି ଆମକୁ ସୀମାନ୍ତ ପୋଷ୍ଟରୁ ହଟିଯିବାକୁ କହୁଛନ୍ତି। ସେପର୍ଯ୍ୟନ୍ତ ସେମାନଙ୍କ ଲୋକେ ଶୁଣୁନାହାନ୍ତି, କି ହିଂସା ବନ୍ଦ କରୁନାହାନ୍ତି। ଏଭଳି ସ୍ଥିତିରେ ଆମେ କିପରି ସରକାର ଚଳାଇବୁ ବୋଲି ପ୍ରଶ୍ନ କରି ହିମନ୍ତ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି। ମିଜୋରାମ ଏବଂ ଆସାମ ମଧ୍ୟରେ ୧୬୪.୬ କିଲୋମିଟର ଆନ୍ତଃରାଜ୍ୟ ସୀମା ରହିଛି। ଏହି ସୀମାରେ ମିଜୋରାମର ଆଇଜଲ, କୋଲାସିବ ଏବଂ ମମିଟ ଜିଲା ଏବଂ ଆସାମର ଚାଚର, ହୈଲାକାଣ୍ଡି ଏବଂ କରିମଗଞ୍ଜ ଜିଲା ରହିଛି। ବହୁବର୍ଷ ଧରି ସୀମାନ୍ତର ବିବାଦୀୟ ଅଞ୍ଚଳକୁ ନେଇ ସଂଘର୍ଷ ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.