ଭାରତର ୪ଟି ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି
ଦୀର୍ଘ୨ ବର୍ଷ କାଳ ସାରା ବିଶ୍ୱକୁ ଗ୍ରାସ କରିଥିଲା ଭୟଙ୍କର ମହାମାରୀ । ଯାହାର ନାଁ ଥିଲା କୋଭିଡ୍-୧୯ ବା କରୋନା ଭାଇରସ୍ । କରୋନାର କରାଳ ରୂପ ସାରା ବିଶ୍ୱ ଦେଖିବା ପରେ ଏହାକୁ ନିୟନ୍ତ୍ରୟ କରିବା ପାଇଁ ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲା ଭ୍ୟାକସିନ । ଧିରେ ଧିରେ ସମୟ ସହିତ ପରିସ୍ଥିତି ସୁଧୁରିଥିଲା । ତେବେ କରୋନା ଭୂତାଣୁର ଉତ୍ପତିସ୍ଥଳ ବୋଲି କୁହାଯାଉଥିବା ଚୀନରେ ଏବେ ପୁଣି ଥରେ କାୟା ବିସ୍ତାର କରିଛି ଏଚଏମପିଭି(HMPV) ଯାହାର ପୂରା ନାମ ହେଉଛି ହ୍ୟୁମାନ ମେଟାନ୍ୟୁମୋ ଭାଇରାସ । ଯାହା ଏବେ ଭାରତରେ ପ୍ରବେଶ କରିସାରିଛି । ଏହା କୋଭିଡ -୧୯ ମହାମାରୀ ଭଳି ଲକ୍ଷଣ ଦେଖାଉଥିବା ଏକ ଶ୍ୱାସଜନିତ ସ୍ୱାସ୍ଥ୍ୟ ସମସ୍ୟା ବୋଲି କୁହାଯାଉଛି ।
ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ଏହି ଭାଇରସ୍ ରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି । ଆଜ୍ମା ଏବଂ ଶ୍ୱାସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ଅଧିକ ବିପଦ ରହିଛି । ବୟସ୍କମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ଏମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଯୋଗୁଁ ଭାଇରସ ତୁରନ୍ତ ଆକ୍ରାନ୍ତ କରୁଛି । ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ବିଶେଷ ଭାବେ ଶିକାର ହେଉଛନ୍ତି ।
ତେବେ ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ ଏହି ଭାଇରସ୍ ଅନ୍ୟ ଜଣଙ୍କୁ ବ୍ୟାପିପାରେ ବୋଲି କୁହାଯାଉଛି । ଯାହା ସୂଚନା ମିଳିଛି ଭାରତର ବେଙ୍ଗାଲୁରୁରେ ପ୍ରଥମ ମାମଲା ସାମ୍ନାକୁ ଆସିଛି ଓ ଗୁଜରାଟରେ ଦ୍ଵିତୀୟ ମାମଲା ଚିହ୍ନଟ ହୋଇଛି । ବେଙ୍ଗାଲୁରୁର ଏକ ହସପିଟାଲରେ ୮ ମାସର ଶିଶୁଠାରେ ଏହି ଭାଇରସ ସଂକ୍ରମଣ ହୋଇଥିବା ଖବର ମିଳିଛି । ପିଲାର ଚିକିତ୍ସା ହସପିଟାଲରେ ଚାଲିଛି । ସେହିପରି ବେଙ୍ଗାଲୁରୁର ୩ ମାସର ଆଉ ଏକ ଶିଶୁକନ୍ୟାଠାରେ ମଧ୍ୟ ଭାଇରସ୍ ଚିହ୍ନଟ କରାଯାଇଛି । ଦୁଇ ଶିଶୁଙ୍କୁ ନିଶ୍ଵାସ ନେବାରେ ସମସ୍ୟା ହେବାରୁ HMPV ଭାଇରସ୍ ବିଷୟରେ ଜଣାପଡ଼ିଥିଲା । ଅଧିକାରୀମାନେ କହିଛନ୍ତି ଯେ ଏହି ଦୁଇ ରୋଗୀ କିମ୍ବା ସେମାନଙ୍କ ପରିବାରର କୌଣସି ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ନାହିଁ । ଦିଲ୍ଲୀ, ମହାରାଷ୍ଟ୍ର ସହିତ ଅନେକ ରାଜ୍ୟରେ ଏହାକୁ ନେଇ ଆଡଭାଇଜରି ଜାରି ହୋଇଛି ।
ସେହିପରି ଗୁଜରାଟର ପ୍ରଥମ ମାମଲା ଅହମ୍ମଦାବାଦର ଚାନ୍ଦଖେଡା ଅଞ୍ଚଳରୁ ଆସିଛି । ଏଠାରେ ୨ ମାସର ଏକ ଶିଶୁଠାରେ ଭୂତାଣୁ ଚିହ୍ନଟ କରାଯାଇଛି । ଏଠାରେ ଏକ ଘରୋଇ ହସ୍ପିଟାଲରେ ସଂକ୍ରମିତ ଶିଶୁର ଚିକିତ୍ସା ଚାଲିଛି । ଏହି ପରିବାର ରାଜସ୍ଥାନର ଡୁଙ୍ଗରପୁରରୁ ଶିଶୁର ଚିକିତ୍ସା କରାଇବା ପାଇଁ ଅହମ୍ମଦାବାଦ ଆସିଥିଲେ । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତେବେ ଯାହା ସୂଚନା ମିଳିଛି କି, କୋଲକତାରେ ଜଣେ ୫ମାସର ଶିଶୁ ଏବଂ ଚେନ୍ନାଇରେ ୨ ସଂକ୍ରମିତ ଚିହ୍ନଟ କରାଯାଇଛି । ଭାରତର ୪ଟି ରାଜ୍ୟ ଯଥା- କର୍ଣ୍ଣାଟକ, ଗୁରୁରାଟ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏପଟେ କର୍ଣ୍ଣାଟକରେ ମାସ୍କ ଫେରିଥିବା ସୂଚନା ମିଳିଛି ।