ସପା ନେତାଙ୍କ ଘରେ ଆଖିବୁଜା ଗୁଳିମାଡ଼; ଶିଶୁ ସମେତ ୬ ଆହତ, ୧୬ ଜଣଙ୍କ ନାଁରେ ମାମଲା ରୁଜୁ

ଉତ୍ତର ପ୍ରଦେଶର ବାରାଣସୀରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଠାରେ କେତେଜଣ ଆକ୍ରମଣକାରୀ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କାଉନସିଲରଙ୍କ ଘରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି । ପୋଲିସ ସୂଚନା ମୁତାବକ, ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଘଟଣା ଘଟିଛି ବାରାଣସୀ ଦଶାଶ୍ୱମେଧର ମୀରଘାଟ ଅଞ୍ଚଳରେ ।

ପୋଲିସ କହିଛି ଯେ ସପା ନେତା ବିଜୟ ଯାଦବଙ୍କ ଅଭିଯୋଗ କ୍ରମେ ୫ ଜଣ ପରିଚିତ ଏବଂ ୧୨ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅଭିଯୋଗରେ କୁହାଯାଇଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ଆକ୍ରମଣକାରୀମାନେ ସପା ନେତା ବିଜୟ ଯାଦବଙ୍କ ଘରେ ପଶି ଗୁଳି ଚଳାଇଥିଲେ । ସେମାନେ ପୂରା ପରିବାରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିଲେ ।

ଅଭିଯୋଗରେ ଦର୍ଶାଯାଇଛି ଯେ ୬ ବର୍ଷର ନିର୍ଭୟ ଯାଦବଙ୍କ ଡାହାଣ ଜଙ୍ଘ ଏବଂ କିରଣ ଯାଦବ ଓ ଦିନେଶ ଯାଦବଙ୍କ ଗୋଡ଼ରେ ଗୁଳି ବାଜିଛି । ନେତାଙ୍କ ପତ୍ନୀ ରଂଜନୀ ଯାଦବଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏହି ଆକ୍ରମଣରେ ପରିବାରର ଉମେଶ ଯାଦବ ଓ ଶୁଭମ ଯାଦବ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ପରିଚିତ ୫ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି । ଏହା ବ୍ୟତୀତ ୧୨ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଫେରାର୍‌ ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ସିସିଟିଭି ଫୁଟେଜ ଆଧାରରେ ଅଜଣା ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି । ସେପଟେ ଏହି ଘଟଣାରେ ପୋଲିସ କମିଶନର ମୋହିତ ଅଗ୍ରୱାଲ ଡ୍ୟୁଟିରେ ଅବହେଳା ପାଇଁ ଦଶାଶ୍ୱମେଧ ଥାନା ଅଧିକାରୀ ରାକେଶ ପାଲଙ୍କୁ ନିଲମ୍ବିତ କରିଛନ୍ତି ।