ରାଜସ୍ଥାନ: ବିକାନେର୍ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ପିଲାଙ୍କ ସମେତ ୬ ମୃତ; ସମସ୍ତେ ଗୋଟିଏ ପରିବାରର

ରାଜସ୍ଥାନର ବିକାନେର୍ରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ମହାଜନସ୍ଥିତ ଜୈତପୁର ଟୋଲ୍ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ମୃତକମାନେ ରାଜସ୍ଥାନର ହନୁମାନଗଡ଼ସ୍ଥିତ ଡବଓ୍ଵାଲିର ନିବାସୀ ବୋଲି କୁହାଯାଉଛି ।
ହରିୟାଣା ନମ୍ବରର କାର୍ରେ ବସି ସମସ୍ତେ ବିକାନେର ଆଡ଼କୁ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ସହ ଜୋର୍ଦାର ଧକ୍କା ହେବା ଫଳରେ କାର୍ରେ ଥିବା ୨ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକମାନଙ୍କ ମଧ୍ୟରେ ୨ ମହିଳା ଏବଂ ୨ ପୁରୁଷ ଅଛନ୍ତି । ଭାରତମାଲା ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା, ଦୁର୍ଘଟଣା ବେଳେ କାର୍ରୁ ୨ ଜଣ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଦୁହିଁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତକମାନେ ହେଲେ, ଆରତି, ଡୁବୁ, ଭୂମିକା, ନୀରଜ କୁମାର ଓ ଶିବ କୁମାର । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।