ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା, ଗଛ ସହ ପିଟି ହେଲା ମିନି ବସ୍‌, ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ତାମିଲନାଡୁର କଲ୍ଲାକୁରିଚିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ମିନି ବସ୍‌ ଅନିୟନ୍ତ୍ରିତ ହୋଇ ଗଛ ସହ ପିଟି ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳେ ପ୍ରବଳ ବର୍ଷା ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଆହତ ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ଦୁର୍ଘଟଣା ପରର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦୁର୍ଘଟଣାଗ୍ରସ୍ତ ମିନି ବସ୍‌ ଭାଙ୍ଗି ଚୁର୍‌ମାର ହୋଇଯାଇଥିବା ଦେଖିବାକୁ ମିଳିଛି । କ୍ରେନ ସାହାଯ୍ୟରେ ଏହାକୁ ଦୁର୍ଘଟଣାସ୍ଥଳରୁ ହଟାଯାଉଛି ।

ପୋଲିସ ଅଧିକାରୀ କହିଛନ୍ତି, ଏହି ଲୋକମାନେ ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଥିବା ତିରୁଚେନ୍ଦୁର ମୁରୁଗନ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ଦର୍ଶନ ପରେ ସମସ୍ତେ ଘରକୁ ଫେରୁଥିଲେ । ଏହି ସମୟରେ ରାସ୍ତାରେ ଦୁଃଖଦ ଦୁର୍ଘଟଣା ଘଟିଥିଲା ।

କୁହାଯାଉଛି ଯେ ପ୍ରଚଣ୍ଡ ଶବ୍ଦ ଏବଂ ଲୋକମାନଙ୍କର ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା । ଆହତ ଲୋକମାନଙ୍କ ସହ ମୃତଦେହଗୁଡ଼ିକୁ ମଧ୍ୟ ବାହାର କରାଯାଇ ହସ୍ପିଟାଲ ପଠାଯାଇଥିଲା ।

You might also like