ହାଥରସ୍ ଘଟଣାରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, SIT ରିପୋର୍ଟ ପରେ ୬ ଅଧିକାରୀ ନିଲମ୍ବିତ

ଉତ୍ତର ପ୍ରଦେଶର ହାଥରସ୍ ଦଳଚକଟା ଘଟଣାରେ ଏସ୍ଆଇଟି ରିପୋର୍ଟ ପରେ ଯୋଗୀ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଏସ୍ଡିଏମ୍, ସିଓ ଏବଂ ତହସିଲଦାରଙ୍କ ସମେତ ୬ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏସ୍ଆଇଟି ନିଜର ୩୦୦ ପୃଷ୍ଠା ସମ୍ବଳିତ ରିପୋର୍ଟରେ ଏହି ଅଧିକାରୀମାନଙ୍କ ଅବହେଳାକୁ ଦର୍ଶାଇଥିଲା ।
କହି ରଖୁଛୁ, ଜୁଲାଇ ୨ରେ ଏଠାରେ ଏକ ସତ୍ସଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୨୧ ଜଣ ପ୍ରାଣ ହରାଇଥିଲେ ।
ଏସ୍ଆଇଟି ନିଜ ରିପୋର୍ଟରେ ୧୨୫ ଜଣଙ୍କ ବୟାନ ରେକର୍ଡ କରିଥିଲା । ଏଥିରେ ହାଥରସ୍ର ଡିଏମ୍ ଆଶିଷ କୁମାର, ଏସ୍ପି ନିପୁଣ ଅଗ୍ରଓ୍ଵାଲଙ୍କଠାରୁ ଆରମ୍ଭ କରି ସତ୍ସଙ୍ଗ ପାଇଁ ଅନୁମତି ଦେଇଥିବା ଏସ୍ଡିଏମ୍ ଓ ସିଓ ସିକନ୍ଦରା ରାଓ ଏବଂ ସତ୍ସଙ୍ଗ ବେଳେ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ ବୟାନ ମଧ୍ୟ ସାମିଲ ଥିଲା । ଏହି ରିପୋର୍ଟରେ ସତ୍ସଙ୍ଗ ଆୟୋଜନ କମିଟିକୁ ଟାର୍ଗେଟ୍ କରାଯାଇଥିବା ବେଳେ ଏଥିରେ ସୂରଜପାଲ ଓରଫ୍ ସାକାର ବିଶ୍ୱହରିଙ୍କ ନାଁ ନ ଥିଲା ।
ପ୍ରମାଣ ଆଧାରରେ ଏହି ଦୁର୍ଘଟଣା ପାଇଁ କାର୍ଯ୍ୟକ୍ରମ ଆୟୋଜକଙ୍କୁ ମୁଖ୍ୟତଃ ଦାୟୀ କରାଯାଇଛି । ଦୁର୍ଘଟଣା ପଛରେ କୌଣସି ବଡ଼ ଷଡଯନ୍ତ୍ରକୁ ଅସ୍ୱୀକାର କରାଯାଇ ନାହିଁ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି ବୋଲି ଯାଞ୍ଚ କମିଟି ରିପୋର୍ଟ କରିଛି ।
କାର୍ଯ୍ୟକ୍ରମ ଆୟୋଜକ ତଥା ତହସିଲସ୍ତରୀୟ ପୋଲିସ ପ୍ରଶାସନକୁ ମଧ୍ୟ ଏସ୍ଆଇଟି ଦୋଷୀ ସାବ୍ୟସ୍ତ କରିଛି । ସ୍ଥାନୀୟ ଏସ୍ଡିଏମ୍, ସିଓ, ତହସିଲଦାର, ଇନ୍ସପେକ୍ଟର, ଆଉଟପୋଷ୍ଟ ଇନ୍ଚାର୍ଜ ନିଜ ଦାୟିତ୍ୱ ତୁଲାଇବାରେ ଅବହେଳା କରିଛନ୍ତି । ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ସ୍ଥାନ ଯାଞ୍ଚ ନ କରି ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଇଥିଲେ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଜଣାଇ ନ ଥିଲେ ବୋଲି ଏସ୍ଆଇଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି ।