ମୁମ୍ବାଇର ଧରାବୀରେ ଭୟାବହ ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ହୋଇ ୬ ଗୁରୁତର
ମୁମ୍ବାଇର ଧରାବୀ ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏସିଆର ସବୁଠୁ ବଡ଼ ବସ୍ତି ଧରାବୀ ଅଞ୍ଚଳର ଏକ ଶିଳ୍ପାଞ୍ଚଳରେ ଆଜି ସକାଳେ ନିଆଁ ଲାଗିଥିବା ସୂଚନା ରହିଛି ।

ମୁମ୍ବାଇର ଧରାବୀ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏସିଆର ସବୁଠୁ ବଡ଼ ବସ୍ତି ଧରାବୀ ଅଞ୍ଚଳର ଏକ ଶିଳ୍ପାଞ୍ଚଳରେ ଆଜି ସକାଳେ ନିଆଁ ଲାଗିଥିବା ସୂଚନା ରହିଛି । ଏହି ଘଟଣାରେ ୬ ଜଣ ଅତି ଗୁରୁତର ଭାବରେ ନିଆଁରେ ପୋଡ଼ି ହୋଇଯାଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୦ ଦମକଳ ଗାଡ଼ି ପହଞ୍ଚିଛି ।
ନଗର ନିଗମ ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଆହତ ଲୋକମାନଙ୍କୁ ନିକଟସ୍ଥ ସାୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ସମସ୍ତ ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିିଛି ।
ଜଣେ ଅଧିକାରୀଙ୍କ ମୁତାବକ, ଧରାବୀ ଅଞ୍ଚଳର କାଲା କିଲାରେ ଥିବା ଅଶୋକ ମିଲ୍ ପରିସରରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଠାରେ ୩ ଏବଂ ୪ ମହଲା ବିଲ୍ଡିଂରେ ଭୋର୍ ପ୍ରାୟ ୩ଟା ୪୫ ମିନିଟ୍ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର ସୂଚନା ମିଳିବା କ୍ଷଣି ଘଟଣାସ୍ଥଳକୁ ୧୦ ଦମକଳ ଗାଡ଼ି ସହ ପାଣି ଟ୍ୟାଙ୍କର ଏଂ ଆମ୍ବୁଲାନ୍ସ ପଠାଯାଇଥିଲା । ବହୁ ପରିଶ୍ରମ ପରେ ଅଗ୍ନିଶମ କର୍ମୀମାନେ ନିଆଁକୁ ଆୟତ୍ତ କରିଥିଲେ ।
ପୋଲିସ କହିଛି ଯେ ଶିଳ୍ପାଞ୍ଚଳ ପରିସରସ୍ଥ ଏକ କପଡ଼ା ଫ୍ୟାକ୍ଟ୍ରିରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଏହା ଦ୍ରୁତ ଗତିରେ ଚାରିଆଡ଼େ ବ୍ୟାପିଯାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ, ସିଭିକ୍ କର୍ମଚାରୀ, ବୃହନ୍ମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ ଟ୍ରାନ୍ସପୋର୍ଟ (ବିଇଏସ୍ଟି)ର କର୍ମଚାରୀ ଆମ୍ବୁଲାନ୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକମାନଙ୍କୁ ବାହାର କରିଥିଲେ । ତେବେ ଏ ପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ ।
ସୂଚନାଯୋଗ୍ୟ, ଗତ ଶନିବାର ଗୁଜରାଟ ରାଜକୋଟ୍ର ଟିଆର୍ପି ଗେମିଂ ଜୋନ୍ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏଠାରେ ଜେନେରେଟର ପାଇଁ ୧୫୦୦ରୁ ୨୦୦୦ ଲିଟର ଡିଜେଲ, କାର୍ ରେସିଂ ପାଇଁ ୧୦୦୦ରୁ ୧୫୦୦ ଲିଟର ପେଟ୍ରୋଲ ଗଚ୍ଛିତ ଥିଲା, ଯେଉଁ କାରଣରୁ ନିଆଁ ଭୟଙ୍କର ଭାବେ ଚାରିଆଡ଼େ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗେମ୍ ଜୋନ୍ର ସମଗ୍ର ଷ୍ଟ୍ରକ୍ଚର ଜଳି ପାଉଁଶ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୧୨ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା ।
ସେହିପରି ବିଳମ୍ବିତ ରାତିରେ ଦିଲ୍ଲୀର ଏକ ବେବି କେୟାର ସେଣ୍ଟରରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଆଖି ପିଛୁଳାକେ ୬ କଅଁଳ ଶିଶୁଙ୍କ ଜୀବନ ଚାଲିଯାଇଥିଲା ।