ଜମ୍ମୁ-କାଶ୍ମୀର: LOC ନିକଟ ନୌସେରାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୬ ଯବାନ ଆହତ

ଜମ୍ମୁ-କାଶ୍ମୀରର ରାଜୌରୀର ନୌସେରା ସେକ୍ଟରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି । LOC ନିକଟରେ ଏହି ବିସ୍ଫୋରଣ ଘଟିଛି । ଅଧିକାରୀମାନେ କହିଛନ୍ତି ଯେ ସୈନିକମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ମିନିଟରେ ବିସ୍ଫୋରଣ ଘଟିଥିଲା । ହଠାତ୍ ଜଣେ ସୈନିକ ଲ୍ୟାଣ୍ଡମାଇନ୍ ଉପରେ ଚଢ଼ିଯିବାରୁ ଏହା ଫାଟିଯାଇଥିଲା ।
ଆହତ ଯବାନମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ରାଜୌରୀର ସେନା ହସ୍ପିଟାଲରେ ଯବାନମାନେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ମାମୁଲି ଆଘାତ ଲାଗିଛି ।
ରିପୋର୍ଟ ଅନୁସାରେ, ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ନିରୋଧୀ ପ୍ରଣାଳୀର ଏକ ଅଂଶ ଭାବରେ ଲ୍ୟାଣ୍ଡମାଇନ୍ ରଖାଯାଇଥାଏ । ଅନେକ ବାର ପ୍ରବଳ ବର୍ଷା ହେତୁ ଏହି ଲ୍ୟାଣ୍ଡମାଇନ୍ ଖସିଯାଏ, ଯାହାଦ୍ୱାରା ଏପରି ଦୁର୍ଘଟଣା ଘଟିଥାଏ ।
କହି ରଖୁଛୁ, ନିକଟରେ ଜମ୍ମୁ-କାଶ୍ମୀରର ବାନ୍ଦିପୁରରେ ସେନାର ଏକ ଟ୍ରକ୍ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିପଡ଼ିଥିଲା । ଏଥିରେ ୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଥିଲେ । ଜାନୁୟାରୀ ୪ରେ ଏହି ଦୁର୍ଘଟଣା ଘଟିଥିଲା । ଜିଲ୍ଲାର ସଦର କୁଟ ପେଏନ୍ ଅଞ୍ଚଳରେ ଡ୍ରାଇଭର ଜଣକ ଟ୍ରକକୁ ଏକ ବୁଲାଣିରେ ମୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ଏହି ଦୁର୍ଘଟଣା ଘଟିଥିଲା ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ଗାନ୍ଦରବଲରେ ଜେଡ୍-ମୋର୍ (Z-Morh) ଟନେଲ୍ ଉଦଘାଟନ କରିଛନ୍ତି । ଏହି ଟନେଲ୍ ନିର୍ମାଣ ପରେ ଲଦାଖ ଯାତ୍ରା ଏବେ ପୂର୍ବ ଅପେକ୍ଷା ସହଜ ହୋଇଯିବ । ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ପ୍ରାୟ ୧୨ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ୨,୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ।
ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରକୁ ବଡ଼ ଉପହାର, ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କଲେ Z-Morh ଟନେଲ୍