ଦିଲ୍ଲୀରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ଗୁରୁବାର ସ୍ପେଶାଲ ସେଲ୍ ପୋଲିସ ରାଜସ୍ଥାନର ଭିଓ୍ଵାଡିରୁ ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଭିଓ୍ଵାଡିର ଚୋପାନଗି ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ସମସ୍ତେ ଅଲ-କାଏଦା ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଥିବା କୁହାଯାଉଛି ।
ଚଢ଼ାଉ ବେଳେ ସନ୍ଦିଗ୍ଧମାନେ ସ୍ପେଶାଲ ଟିମ୍ ଉପରକୁ ଗୁଳି ଚଳାଇଥିଲେ । ଏହି କାରଣରୁ ଅନେକ ଘଣ୍ଟା ଧରି ଚୋପାନଗି ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଥିଲା । ସୂତ୍ରରୁ ଜଣାପଡ଼ିଛି ଯେ ସନ୍ଦିଗ୍ଧମାନେ ଏକ ଅଲଗା ଆତଙ୍କବାଦୀ ସଙ୍ଗଠନ ଗଢ଼ି ଯୁବକମାନଙ୍କୁ ତାଲିମ ଦେଉଥିଲେ ।
ଭିଓ୍ଵାଡିରୁ ଗିରଫ ସନ୍ଦିଗ୍ଧମାନେ ଯୁବକମାନଙ୍କୁ ଅସ୍ତ୍ର ଚାଳନାର ଟ୍ରେନିଂ ଦେଉଥିଲେ । ଭିଓ୍ଵାଡି ବ୍ୟତୀତ ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡର ଅନେକ ସ୍ଥାନରେ ସ୍ପେଶାଲ ସେଲ୍ ଏକକାଳୀନ ଚଢ଼ାଉ କରିଥିଲା । ସେପଟେ ଘଟଣା ବିଷୟରେ ସୂଚନା ପାଇ ଜୟପୁର ରେଞ୍ଜ ଆଇଜି ଭିଓ୍ଵାଡ଼ିରେ ପହଞ୍ଚିଥିଲେ ଏବଂ ମାମଲା ସମ୍ପର୍କରେ ଅବଗତ ହୋଇଥିଲେ । କିନ୍ତୁ ଏ ନେଇ ଭିଓ୍ଵାଡ଼ି ପୋଲିସ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ ।
ସୂତ୍ରରୁ ପ୍ରକାଶ ଯେ ଏହି ସନ୍ଦିଗ୍ଧମାନେ ଅଲଗା ସଙ୍ଗଠନ ଗଠନ କରି ସାରା ଦେଶରେ ଆତଙ୍କୀ କାର୍ଯ୍ୟକଳାପରେ ଜଡିତ ଥିଲେ । ସଙ୍ଗଠନ ସହ ଜଡିତ କିଛି ଲୋକଙ୍କୁ ଝାଡ଼ଖଣ୍ଡ ରାଞ୍ଚିରେ ମଧ୍ୟ ଅଟକ ରଖାଯାଇଛି ।