ପାପୀ ପାଲଟିଲା ଦାଦା: ନିଜ ୬ ବର୍ଷର ଝିଆରୀକୁ ଦୁଷ୍କର୍ମ ପରେ କଲା ହତ୍ୟା

ଛତିଶଗଡ: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ଦାଦା । ନିଜ ୬ ବର୍ଷୀୟ ନାବାଳିକା ଝିଆରୀକୁ କଲା ଦୁଷ୍କର୍ମ । ଦୁଷ୍କର୍ମ ପରେ ବୁଝିଲାନି ମନ ସବୁଦିନ ପାଇଁ ମାରିଦେଲା ଜୀବନରୁ । କାମନା ଲୋଭରେ ଭୁଲି ଗଲା ହିତାହିତ ଜ୍ଞାନ ।

ବାପା କିଏ ଦାଦା କିଏ । ବାପାଙ୍କ ଅନୁପସ୍ଥିତିକୁ ଯିଏ ଅନୁଭବ କରିବାକୁ ଦେଇନଥାନ୍ତି ସେ ହିଁ ତ ଦାଦା । ହେଲେ ଆଜିର ଏ କାହାଣୀ ଶୁଣିଲେ ଏ ଦାଦା ନା ଶୁଣିଲା ମାତ୍ରରେ ମନରେ ଭୟ ଖେଳିଯିବ ଆଜ୍ଞା । କୋଉ ଦାଦା କଣ ଏମିତି କରିପାରେ । ତାପୁଣି ନିଜ ଭାଇର ଝିଅ ସହିତ । ଏଭଳି ଏକ ଲୋମ ଟାଙ୍କୁରା ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ରେ । ୬ବର୍ଷର ଝିଅ ସମାନ ଝିଆରୀକୁ ଦୁଷ୍କର୍ମ କରିଛି ତାର ୨୪ ବର୍ଷୀୟ ଦାଦା । ଖାଲି ଦୁଷ୍କର୍ମ ନୁହେଁ ଏଇ କୁକର୍ମ କରିବା ପରେ ଝିଅଟିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହା ସୂଚନା ମିଳିଛି, ନିଜ ଝିଆରୀକୁ ହତ୍ୟା କରି ତା ମୃତଦେହକୁ ଏକ କାର୍ ଭିତ‌ରେ ଲୁଚାଇ ରଖିଥିଲା ଏହି ସଇତାନ୍ ଦାଦା । ତେବେ ଛତିଶଗଡ଼ର ଦୁର୍ଗ ସହରରେ ଘଟିଛି ଲଜ୍ଜାକର ଘଟଣା ।

ଖବର ମୁତାବକ, ନବରାତ୍ରି ଉତ୍ସବ ଆୟୋଜିତ ହେଉଥିବା ସମୟରେ ଶିଶୁଟି କନ୍ୟା ଭୋଜରେ ଅଂଶଗ୍ରହଣ କରିବା ପାଇଁ ନିଜ ଜେଜେମାଙ୍କ ଘରକୁ ଯାଇଥିଲା । କିନ୍ତୁ ସେଠାରୁ ଆଉ ଘରକୁ ଫେରିପାରି ନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ନାବାଳିକାଟିକୁ ପାଇନଥିଲେ । ଯାହାକୁ ନେଇ ଏପ୍ରିଲ ୫ ତାରିଖରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ ପରିବାର ଲୋକେ । ନିଖୋଜ ମାମଲା ପରେ ପୋଲିସ୍ ପହଁଚି ଆଖପାଖ ଅଞ୍ଚଳ ବୁଲି ଦେଖିଥିଲା । ଶେଷରେ ଏକ କାର୍ ଭିତରୁ ନାବାଳିକାର ମୃତଦେହକୁ ଠାବ କରିବାରେ ସଫଳ ହୋଇଥିଲା ।

ତେବେ ପରିବାର ଲୋକ କହିଛନ୍ତି ଯେ, ଝିଅଟିର ଜେଜେମା ଏବଂ ଅନ୍ୟ ଜଣେ ସମ୍ପର୍କୀୟ ମନ୍ଦିର ଯାଇଥିଲେ । ସେହି ସମୟର ଅଭିଯୁକ୍ତ ଦାଦା ସୋମେଶ ଯାଦବ ଘରେ ଏକା ଥିଲା । ଯାହାର ସୁଯୋଗ ନେଇ ସେ ନିଜ ଝିଆରୀ ସହ ଏଭଳି କାଣ୍ଡ କରିଥିଲା । ଏପଟେ ଅଭିଯୁକ୍ତ ଦାଦା ସୋମେଶ ନିଜେ ମାନିଛି ଯେ ସେ ଶିଶୁଟିକୁ ପ୍ରଥମେ ଯୌନ ନିର୍ଯାତନା ଦେଇଥିଲା ଏବଂ ତାପରେ ହତ୍ୟା କରିଥିଲା । ହତ୍ୟା କରିବା ପରେ ମୃତଦେହକୁ ପଡ଼ୋଶୀଙ୍କ କାର୍ ଭିତରେ ରଖିଦେଇଥିଲା ।

ଏପଟେ ଦୁର୍ଗର ଅତିରିକ୍ତ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କାରଟି ନିୟମିତ ଭାବରେ ସେଠାରେ ପାର୍କିଂ କରାଯାଉଥିଲା, ଏବଂ କାର୍ ଟିର ଏକ କାଚ ସର୍ବଦା ଖୋଲା ରହୁଥିଲା । ଏନେଇ ଅଭିଯୁକ୍ତ ଜଣକ ପୂର୍ବରୁ ଜାଣିଥିଲା ।

ତେବେ ଘଟଣା ସମ୍ପର୍କରେ ପଚରାଉଚରା ପାଇଁ ପୋଲିସ୍ ଦ୍ୱାରା ଅଟକ ରଖାଯାଇଥିବା ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ ଉକ୍ତ କାର୍ ର ମାଲିକ, ନାବାଳିକାର ର ଦାଦା ଏବଂ ଅନ୍ୟ ଜଣେ ବ୍ୟକ୍ତି । ତେବେ ପଚରାଉଚରା ପରେ ଅଭିଯୁକ୍ତ ନାବାଳିକାଟିର ନିଜ ଦାଦା ବୋଲି ପୋଲିସ୍ ଜାଣିବାକୁ ପାଇଥିଲା । ଏପଟେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ କାର୍ ଟିକୁ ପୋଡି ଦେଇଥିବା ଜଣାପଡିଛି । ଏହାସହ ଦୋଷୀ କଠୋର ରୁ କଠୋର ଦଣ୍ଡ ଦେବାକୁ ଦାବି ଯୋର୍ ଧରିଛି ।

ଆହୁରି ପଢନ୍ତୁ: ଜୟପୁର ନାହରଗଡ଼ରୁ ସାମ୍ନାକୁ ଆସିଛି ହିଟ୍ ଆଣ୍ଡ ରନର ଭୟଙ୍କର ଦୃଶ୍ୟ: ୨ ମୃତ, ୮ ଗୁରୁତର