ପୁଣେରେ ବ୍ୟାପିଛି ଜିକା ଭାଇରସ୍‌, ୬ ସଂକ୍ରମିତ ଚିହ୍ନଟ; ରୋଗୀଙ୍କ ମଧ୍ୟରେ ୨ ଗର୍ଭବତୀ

ମହାରାଷ୍ଟ୍ରର ପୁଣେରେ ବ୍ୟାପିଛି ଜିକା ଭାଇରସ୍‌ । ସହରରେ ସଂକ୍ରମଣର ୬ଟି ମାମଲା ସାମ୍ନାକୁ ଆସିଛି । ଏଥିରେ ୨ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ମୁତାବକ, ପୁଣେର ଏରଣ୍ଡଓ୍ଵାନେ ଅଞ୍ଚଳର ୨୮ ବର୍ଷୀୟ ଗର୍ଭବତୀ ମହିଳାଙ୍କଠାରେ ଜିକା ଭାଇରସ୍‌ ଚିହ୍ନଟ ହୋଇଛି । ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏହିପରି ୧୨ ସପ୍ତାହର ଆଉ ଜଣେ ଗର୍ଭବତୀ ମଧ୍ୟ ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ପୁଣେରେ ପ୍ରଥମେ ଜିକା ଭାଇରସ୍‌ ଏରଣ୍ଡଓ୍ଵାନେ ଅଞ୍ଚଳରେ ହିଁ ଚିହ୍ନଟ ହୋଇଥିଲା । ଏଠାରେ ୪୬ ବର୍ଷୀୟ ଜଣେ ଡାକ୍ତରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ପରେ ତାଙ୍କର ୧୫ ବର୍ଷ ଝିଅର ନମୁନା ମଧ୍ୟ ପଜିଟିଭ୍‌ ବାହାରିଥିଲା । ଏହା ବ୍ୟତୀତ ଅନ୍ୟ ୨ ସଂକ୍ରମିତ ମୁନ୍ଧଓ୍ଵା ଅଞ୍ଚଳରେ ଚିହ୍ନଟ ହୋଇଥିଲେ । ସେମାନେ ହେଲେ ୪୭ ବର୍ଷୀୟା ଜଣେ ମହିଳା ଏବଂ ୨୨ ବର୍ଷୀୟ ଜଣେ ଯୁବକ ।

ପୁଣେ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟା ବିଭାଗ ସମସ୍ତ ରୋଗୀଙ୍କ ଉପରେ ନଜର ରଖିଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସଂକ୍ରମିତ ମଶାଙ୍କୁ ରୋକିବା ପାଇଁ ଫଗିଙ୍ଗ୍‌ ଏବଂ ଫ୍ୟୁମିଗେଶନ ଭଳି ଉପାୟ ଅବଲମ୍ବନ କରାଯାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁତାବକ, ଜିକା ଭାଇରସ୍‌ ଏଡିଜ୍‌ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ଏଡିଜ୍‌ ମଶା କାମୁଡ଼ିଲେ ଡେଙ୍ଗୁ, ଚିକେନ୍‌ଗୁନିଆ ଓ ୟୋଲୋ ଫିଭର ହୋଇଥାଏ । ଏହି ୩ଟି ଭାଇରସ୍‌ ପ୍ରାୟତଃ ସମାନ । ଜିକା ଭାଇରସ୍‌ର ଲକ୍ଷଣ ଅତି ସାଧାରଣ । ଏଥିରେ ଶରୀରରେ ନାଲି ଦାଗ ପଡ଼ିବା, ଜ୍ୱର, ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା ଏବଂ ମୁଣ୍ଡରେ ଯନ୍ତ୍ରଣା ଆଦି ହୋଇଥାଏ । କିନ୍ତୁ ଅଧିକାଂଶ ସଂକ୍ରମିତଙ୍କଠାରେ ଏହାର ଲକ୍ଷଣ ଦେଖିବାକୁ ମିଳି ନ ଥାଏ ।

କହି ରଖୁଛୁ ଯେ ୧୯୪୭ ମସିହାରେ ୟୁଗାଣ୍ଡାରେ ଜିକା ଭାଇରସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ସେହି ସମୟରେ ମାଙ୍କଡ଼ଙ୍କଠାରେ ଭାଇରସ୍‌ ଚିହ୍ନଟ ହୋଇଥିଲା ।