୯୦ ଥର ଟିକା ନେଇ ସାରିଲେଣି ୬୦ ବର୍ଷର ବ୍ୟକ୍ତି, ଜାଲ୍ ସାର୍ଟିଫିକେଟ୍ ବିକି କରୁଛନ୍ତି ମୋଟା ଅଙ୍କର ରୋଜଗାର

କରୋନା ଟିକାକରଣକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଜାଲ୍ ପ୍ରମାଣ ପତ୍ର ବିକିବାକୁ ଜଣେ ୬୦ ବର୍ଷର ବ୍ୟକ୍ତି ଇତି ମଧ୍ୟରେ ୯୦ ଥର କରୋନା ଟିକା ନେଇଥିବା ଜଣାଯାଇଛି। ୟୁରୋପରେ ଏଭଳି ଏକ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତି ଜଣକ ନକଲି ଟିକାକରଣ ପ୍ରମାଣ ପତ୍ର ବିକ୍ରି କରି ରୋଜଗାର କରିବା ପାଇଁ ୯୦ ଥର ଟିକା ନେଇସାରିଲେଣି। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ ନ୍ୟାୟରେ ଏବେ ଉକ୍ତ ବ୍ୟକ୍ତି ଧରାପଡ଼ିଛନ୍ତି।
ରିପୋର୍ଟ ମୁତାବକ, ଜର୍ମାନୀର ପୂର୍ବ ପ୍ରାନ୍ତ ସେକ୍ସୋନୀର ଜଣେ ୬୦ ବର୍ଷର ବ୍ୟକ୍ତି ଏହି ନକଲି ଟିକାକରଣ ସାର୍ଟିଫିକେଟ୍ ବେପାର କରିଥାନ୍ତି। ଯେଉଁମାନେ ଟିକା ନେବାକୁ ଚାହାନ୍ତି ନାହିଁ, ସେ ତାଙ୍କ ନାଁରେ ଟିକା ନେଇଥାନ୍ତି। ଏଥିପାଇଁ ସେ ମୋଟା ଅଙ୍କର ପଇସା ବି ନିଅନ୍ତି। ଏଲନମର୍ଗରେ ଏକ ଟିକାକରଣ କେନ୍ଦ୍ରରେ ସେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଲାଇନ୍ରେ ଠିଆ ହୋଇଥିବା ବେଳେ ପୋଲିସ ତାଙ୍କୁ ଧରିଛି। ପୋଲିସ ତାଙ୍କ ନିକଟରୁ ଅନେକ ନକଲି କରୋନା ସାର୍ଟିଫିକେଟ୍ ବି ଜବତ କରିଛି। ତାଙ୍କ ବିରୋଧରେ ଜାଲ କାଗଜ ପତ୍ର କରୁଥିବା ନେଇ ମାମଲା ରୁଜୁ ହୋଇଛି।
A devoted & clever entrepreneur:
“An unnamed 61-year-old man in German reportedly got 90 doses of Covid-19 vaccine injected into his body so he could make money selling vaccination certificates to people who didn’t want to get vaccinated.”https://t.co/5mbqmKDIdM
— Phil Johnson (@Phil_Johnson_) April 6, 2022
ଧରାପଡ଼ିବା ପରେ ଏହି ୬୦ ବର୍ଷର ବ୍ୟକ୍ତି କହିଛନ୍ତି, ସେ ଇତି ମଧ୍ୟରେ ଅଲଗା ଅଲଗା ବ୍ରାଣ୍ଡର ୯୦ଟି ଡୋଜ୍ ନେଇସାରିଲେଣି। କିନ୍ତୁ ଏହା ଦ୍ୱାରା ତାଙ୍କ ଶରୀର ଉପରେ କି ପ୍ରଭାବ ପଡ଼ିଛି ସେ ନେଇ ଏବେ ଡାକ୍ତର ଯାଞ୍ଚ କରୁଛନ୍ତି। କରୋନା ମହାମାରୀ ଆସିବା ପରଠାରୁ ଏବେ ରୋସ୍ତୋରାଁ, ଦୋକାନ, ବଜାର, ସିନେମା ହଲ୍ ସବୁ ସ୍ଥାନକୁ ଯିବା ପାଇଁ ଟିକାକରଣ ସାର୍ଟିଫିକେଟ୍ ଦରକାର ପଡ଼ୁଛି। ଏଭଳି ସ୍ଥିତିରେ ଯେଉଁମାନେ ଟିକା ନେବାକୁ ଚାହୁଁ ନାହାନ୍ତି ତାଙ୍କୁ ଏହି ବ୍ୟକ୍ତି ନକଲି ଟିକାକରଣ ସାର୍ଟିଫିକେଟ୍ ଯୋଗାଇ ଦେଇଥାନ୍ତି।
Also Read: ସାହାରା ଗ୍ରୁପ୍କୁ ବଡ଼ ଝଟ୍କା! ପୁଣି ୩ଟି କମ୍ପାନୀକୁ ବ୍ୟାନ୍ କଲେ ସରକାର, ଏବେ ଆଉ ଟଙ୍କା ଜମା କରିପାରିବେନି ଲୋକେ