ଜମ୍ମୁରେ ୬ଶହ ପାକ୍ ସେନା, ବଡଧରଣର ଆକ୍ରମଣ କରିବାକୁ ଯୋଜନା !

ନୂଆଦିଲ୍ଲୀ : ଜମ୍ମୁରେ ପାକ୍ ସେନା । ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ସେନାର ୬ଶହ SSG କମାଣ୍ଡୋ ପ୍ରବେଶ କରିଛନ୍ତି । ଜମ୍ମୁ-କଶ୍ମୀରରେ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡିଛି । ଏଭଳି ଦାବି କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ.ପି ବୈଦ୍ୟ ଏବଂ କାଶ୍ମୀରର ସାମାଜିକ କାର୍ଯ୍ୟକର୍ତ୍ତା ଅମଜାନ ଆୟୁବ ମିର୍ଜା । ନିଜ ସୋସିଆଲ ମିଡିଆ ଏକ୍ସରେ ଏନେଇ ମିର୍ଜା ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି SSGର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ଆଦିଲ ରହମାନି ପିଓକେର ମୁଜାଫରାବାଦରେ ରହି ଜମ୍ମୁ-କଶ୍ମୀରରେ SSG କମାଣ୍ଡୋଙ୍କ ଅନୁପ୍ରବେଶ ଲାଗି ସମସ୍ତ ବ୍ୟବସ୍ଥା କରୁଛନ୍ତି । ଭାରତକୁ ପ୍ରାୟ ଗୋଟିଏ ବାଟାଲିୟନ ଏସଏସଜି ପ୍ରବେଶ କରିସାରିଛନ୍ତି । ସେମାନେ କୁପୱାରା ଓ ଅନ୍ୟାନ୍ୟ ଅଞ୍ଚଳରେ ବର୍ତ୍ତମାନ ସକ୍ରିୟ ଅଛନ୍ତି ।
ଏହି ଏସଏସଜି କମାଣ୍ଡୋଙ୍କ ନେତୃତ୍ୱ ନେଇଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ସାହିଦ ସଲିମ ଜାଞ୍ଜୁଆ । ସେହିଭଳି ଆହୁରି ୨ଟି ବାଟାଲିୟନ SSG କମାଣ୍ଡୋ ବର୍ତ୍ତମାନ ମୁଜାଫରାବାଦରେ ଅଛନ୍ତି । ପାକିସ୍ତାନୀ ସେନାର ଏହା ଭାରତ ବିରୋଧରେ ଗୋପନ ଯୁଦ୍ଧ । ଭାରତ ଏହାର ଜବାବ ଦେବାକୁ ପଡିବ । ବୈଦ୍ୟଙ୍କ ଏଭଳି ବୟାନ ସୁରକ୍ଷା ବାହିନୀର ଚିନ୍ତା ବଢ଼ାଇ ଦେଇଛି ।
ତେଣୁ ସୁରକ୍ଷା ବାହିନୀ ଆରମ୍ଭ କରିଛି ଅପରେସନ ସର୍ପ ବିନାଶ ୨.୦ । ଏହି ଅପରେସନରେ ପାହାଡ ଓ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିବା ପାକିସ୍ତାନୀ କମାଣ୍ଡୋଙ୍କୁ ନିପାତ କରାଯିବ । ପିଏମଓର ନିର୍ଦ୍ଦେଶ ତଥା ଏନଏସଏ ଅଜିତ ଡୋଭାଲ ଓ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚାଲିଛି ଏହି ଅପରେସନ ।