ମକ୍କାରେ ଭୀଷଣ ଗରମ : ୬୮ରୁ ଅଧିକ ଭାରତୀୟ ହଜଯାତ୍ରୀଙ୍କ ମୃତ୍ୟୁ, ୬୦୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପ୍ରବଳ ଗରମ ଏବେ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ହଜଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକରେ ପହଞ୍ଚିଲାଣି । ଏତେ ସଂଖ୍ୟକ ହଜ ଯାତ୍ରୀଙ୍କ ମୃତ୍ୟୁ ଖବର ପରେ ଭାରତରୁ ହଜ ଯାତ୍ରା କରିଥିବା ତୀର୍ଥଯାତ୍ରୀଙ୍କ ପରିବାର ଚିନ୍ତା ବଢିଯାଇଛି । ଚଳିତବର୍ଷ ଭାରତରୁ ୧,୭୫,୦୦୦ ତୀର୍ଥଯାତ୍ରୀ ହଜ ଯାତ୍ରା କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୬୮ ଭାରତୀୟ ଥିବା ଜଣାପଡିଛି ।

ଗତ ଏକ ସପ୍ତାହ ମଧ୍ୟରେ ୬ ଜଣ ଭାରତୀୟଙ୍କ ଜୀବନ ଯାଇଛି । ଜଣେ କୂଟନୀତିଜ୍ଞଙ୍କ କହିବା ଅନୁଯାୟୀ, ଗରମ ଯୋଗୁଁ ବୃଦ୍ଧଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଏପର୍ଯ୍ୟନ୍ତ ଭାରତୀୟ ସରକାର ତରଫରୁ କୌଣସି ଅଫିସିଆଲ ବୟାନ ଜାରି କରାଯାଇନାହିଁ ।

ମୃତକଙ୍କ ମଧଦ୍ୟରେ ଇଜିପ୍ଟର ୩୨୩, ଟ୍ରୁୟୁନିସିଆଇ ୩୫, ଇଣ୍ଡୋନେସିଆ ୪୪, ଜୋର୍ଡାନ ୪୧, ଭାରତ ୬୮, ଇରାନର ୧୧ ନାଗରିକ ରହିଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ହଜଯାତ୍ରୀଙ୍କ ମୃତଦେହ କୌଣସି ଦେଶକୁ ପଠାଯିବ ନାହିଁ। ମୃତଦେହକୁ ସାଉଦି ଆରବରେ ହିଁ ସଂସ୍କାର କରାଯିବ । ମକ୍କାର ସବୁଠାରୁ ବଡ ଶବଗୃହ ଅଲ-ମୁଆଇସମରେ ମୋଟ ୫୫୦ଟି ଶବ ଅଛି । ଚଳିତବର୍ଷ ହଜ ଯାତ୍ରା ୧୪ ଜୁନରୁ ଆରମ୍ଭ ହୋଇ ୧୯ ଜୁନରେ ସରିଛି ।

ସାଉଦି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସୋମବାର ମକ୍କା ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଗରମ ଯୋଗୁଁ ୨୦୦୦ରୁ ଅଧିକ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ଜଳବାୟୁ ପରିବର୍ତ୍ତନ ଦ୍ୱାରା ହଜ୍ ତୀର୍ଥଯାତ୍ରା ଅଧିକ ପ୍ରଭାବିତ ହେଉଛନ୍ତି । ଚଳିତ ବର୍ଷ ହଜରେ ପ୍ରାୟ ୧.୮ମିଲିୟନ ତୀର୍ଥଯାତ୍ରୀ ଭାଗ ନେଇଛନ୍ତି । ଯେଉଁଥିରେ ୧.୬ ମିଲିୟନ ବିଦେଶରୁ ଆସିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଗତବର୍ଷ ବିଭିନ୍ନ ଦେଶରୁ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୨୪୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅଧିକାଂଶ ଯାତ୍ରୀ ଇଣ୍ଡୋନେସିଆର ରହିଥିଲେ ।

ହଜ ଇସଲାମର ୫ ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଅନ୍ୟତମ । ଆର୍ଥିକ ଏବଂ ଶାରୀରିକ ଭାବେ ସକ୍ଷମ ପ୍ରତ୍ୟେକ ମୁସଲମାନ ଜୀବନ ପାଇଁ ହଜ୍‌ ଯାତ୍ରା ବାଧ୍ୟତାମୂଳକ । ଚଳିତବର୍ଷ ହଜ ଯାତ୍ରା ଜଳବାୟୁ ପରିବର୍ତ୍ତନ କାରଣ ଯୋଗୁଁ ବେଶ୍‌ ପ୍ରଭାବିତ ହୋଇଛି ।