ତ୍ରିପୁରାରେ ବଡ଼ ଭୂସ୍ଖଳନ; ୭ ମୃତ, ୨ ଗ୍ରାମବାସୀ ନିଖୋଜ

ତ୍ରିପୁରାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ରାଜ୍ୟରେ ତିନିରୁ ଚାରୋଟି ସ୍ଥାନରେ ଭୟଙ୍କର ଭୂସ୍ଖଳନ ହୋଇଥିବା ସୂଚନା ରହିଛି । ଏହି ଭୂସ୍ଖଳନ ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୨ ଜଣ ଗ୍ରାମବାସୀ ନିଖୋଜ ହୋଇଯାଇଛନ୍ତି ।

ରାଜସ୍ୱ ବିଭାଗ ସଚିବ ବ୍ରିଜେଶ ପାଣ୍ଡେ କହିଛନ୍ତି ଯେ ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗୋମତି ଏବଂ ଖୋୱାଇ ଜିଲ୍ଲାରେ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏହି ଦୁଇଟି ଜିଲ୍ଲାରୁ ୨ ଜଣ ବ୍ୟକ୍ତି ନିଖୋଜ ମଧ୍ୟ ହୋଇଛନ୍ତି ।

ଦକ୍ଷିଣ ତ୍ରିପୁରା ଜିଲ୍ଲାର ଦେବିପୁରରେ ସୋମବାର ରାତିରେ ଭୂସ୍ଖଳନ ହୋଇ ଏକ ଘର ଭୁଶୁଡ଼ି ପଡ଼ିଥିଲା । ଏଥିରେ ଚାପି ହୋଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି ।

ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ପାଣିପାଗ ବିଭାଗ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଅନୁମାନ କରିଛି । ଏହାକୁ ନଜରରେ ରଖି ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରାଯାଇ ଥିବାବେଳେ ଉତ୍ତର-ପୂର୍ବର ଅବଶିଷ୍ଟ ସାତୋଟି ଜିଲ୍ଲାରେ ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଛି ।

ଗତ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । ବର୍ଷା ପ୍ରଭାବିତ ୫୬୦୭ ପରିବାର ୧୮୩ଟି ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି । ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯାଉଥିବା ରାଜସ୍ୱ ବିଭାଗ ସଚିବ ସୂଚନା ଦେଇଛନ୍ତି ।

You might also like