ଗାଧୋଇବା ବେଳେ ଡ୍ୟାମ୍‌ରେ ବୁଡ଼ି ୭ ଝିଅଙ୍କ ମୃତ୍ୟୁ, ସମସ୍ତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

ତାମିଲନାଡ଼ୁ: ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୭ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାରକାରୀଙ୍କ ସାହାଯ୍ୟରେ ସମସ୍ତଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଦେହକୁ କୁଡ୍ଡାଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏବେ ମାମଲାର ତଦନ୍ତ କରୁଛି।

ସୂଚନା ଅନୁସାରେ, କୁଚିପଲୟମ୍‌ ପାଖ ଗେଡିଲମ୍‌ ନଦୀରେ ନିର୍ମିତ ଚେକ୍‌ ଡ୍ୟାମ୍‌କୁ ୭ ଜଣ ଝିଅ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ୨ ଜଣ ନଦୀ ମଝିକୁ ଚାଲିଯାଇଥିଲେ। ଫଳରେ ବୁଡ଼ି ଯାଇଥିଲେ। ସାହାଯ୍ୟ ପାଇଁ ସେମାନେ ଚିତ୍କାର କରିବାକୁ ଅନ୍ୟମାନେ ମଧ୍ୟ ନଦୀ ଗଭୀରକୁ ଯାଇଥିଲେ। କିନ୍ତୁ ସେମାନେ ମଧ୍ୟ ଗଣ୍ଡରେ ବୁଡ଼ି ଯାଇଥିଲେ। ପାଣିରେ ବୁଡ଼ି ଯାଇ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୬ ବର୍ଷୀୟା ସୁମୁଥା, ୧୯ ବର୍ଷୀୟା ନବନୀତା, ୧୯ ବର୍ଷୀୟା ପ୍ରିୟା, ୧୫ ବର୍ଷୀୟା ମୋନିକା, ୧୭ ବର୍ଷୀୟା ସଙ୍ଗୀତା, ୧୪ ବର୍ଷୀୟା ପ୍ରିୟଦର୍ଶିନୀ ଓ ୧୨ ବର୍ଷର କାବ୍ୟା ଅଛନ୍ତି।

ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଖୋଜାଖୋଜି କରିବା ପରେ ନଦୀରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଜାଣିବା ପରେ ରାଜ୍ୟ କୃଷି ମନ୍ତ୍ରୀ ଏମ୍‌ଆରକେ ପନ୍ନୀରସେଲଭନ୍‌ ହସ୍ପିଟାଲରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣା ପରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଶୋକ ବ୍ୟକ୍ତ କରିଛନ୍ତି। ଏହି ଦୁର୍ଘଟଣାରେ ଜୀବନ ହରାଇଥିବା ଝିଅଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇବାକୁ ସେ ଘୋଷଣା କରିଛନ୍ତି।

Also Read: କ୍ୟାରିୟରର ସବୁଠୁ ବଡ଼ ହିଟ୍‌ ଦେଲେ କମଲ ହାସନ୍‌ ! ୩ ଦିନରେ ୧୫୦ କୋଟି ଟଙ୍କା ରୋଜଗାର କଲା ‘ବିକ୍ରମ’