ପଶ୍ଚିମବଙ୍ଗ: ବୀରଭୂମିର କୋଇଲା ଖଣିରେ ଭୀଷଣ ବିସ୍ଫୋରଣ, ୭ ଶ୍ରମିକ ମୃତ

ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଥିବା ଏକ କୋଇଲା ଖଣିରେ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନେକ ଜଣ ଏଥିରେ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବୀରଭୂମି ଜିଲ୍ଲାର ଲୋକପୁର ଥାନା ଅଧୀନ ଏକ କୋଇଲା ଖଣିରେ ଏହି ବିସ୍ଫୋରଣ ଘଟିଛି । ଏଠାରେ କୋଇଲା କ୍ରସିଂ ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସୂତ୍ରରୁ ଜଣାପଡ଼ିଛି ଯେ ଏକ କମ୍ପାନୀ ପକ୍ଷରୁ କୋଇଲା କ୍ରସିଂ ପାଇଁ ଖଣିରେ ବିସ୍ଫୋରଣ ବେଳେ ଏହି ଦୁର୍ଘଟଣା ଅଜାଣତରେ ଘଟିଥିଲା । ଜୋର୍‌ଦାର ଧମାକା ହେବା ବେଳେ ଘଟଣାସ୍ଥଳରେ ଅନେକ ଶ୍ରମିକ କାମ କରୁଥିଲେ । କମ୍ପାନୀର ଅଧିକାରୀ ଏବଂ କର୍ମଚାରୀମାନେ ସେଠାରୁ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିଛି । ବାକି ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଉଛି । ଏହା ସହିତ ସ୍ଥାନୀୟ ବିଧାୟକ ମଧ୍ୟ ପହଞ୍ଚିଛନ୍ତି । ବର୍ତ୍ତମାନ ସେଠାରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟ ଜାରି ରହିଛି । ପୋଲିସ ମୃତକମାନଙ୍କ ପରିବାର ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି ଏବଂ ସେମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ।

You might also like