ଆନ୍ଧ୍ର: କେନାଲ୍‌କୁ ଓଲଟିଲା କାଜୁ ବୋଝେଇ ମିନି ଟ୍ରକ୍‌, ୭ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଦେବରାପଲ୍ଲୀରେ ବୁଧବାର ମଧ୍ୟରାତ୍ରିରେ ଏକ ମିନି ଟ୍ରକ୍‌ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ଟ୍ରକ୍‌ଟି କେନାଲ୍‌କୁ ଖସି ପଡ଼ିବାରୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଦେବରାପଲ୍ଲୀ ମଣ୍ଡଳ ଅନ୍ତର୍ଗତ ଚିନ୍ନଇଗୁଡେମ୍‌ର ଚିଲକା ପକାଲା ଅଞ୍ଚଳରେ ଘଟିଛି । ଏକ ବଡ଼ ଖାଲରୁ ବର୍ତ୍ତିବା ପାଇଁ ଡ୍ରାଇଭର ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଟ୍ରକ୍‌ ଅନିୟନ୍ତ୍ରିତ ହୋଇ ସିଧାସଳଖ କେନାଲକୁ ଖସି ପଡ଼ିଥିଲା । ଫଳରେ ଟ୍ରକ୍‌ ଉପରେ ବସିଥିବା ସମସ୍ତ ୭ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ବ୍ୟବଚ୍ଛେଦ ପାଇଁ ମୃତଦେହଗୁଡ଼ିକୁ କୋଭୁର ସରକାରୀ ହସ୍ପିଟାଲ ପଠାଯାଇଛି ।

ପୋଲିସ ସୂଚନା ମୁତାବକ, ଏହି ମିନି ଟ୍ରକ୍‌ରେ କାଜୁ ଲୋଡ୍‌ ହୋଇଥିଲା । ଖାଲରୁ ବଞ୍ଚିବା ପାଇଁ ଡ୍ରାଇଭର ଜଣକ ଚେଷ୍ଟା କରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡ଼ିଥିଲା । ଟ୍ରକ୍‌ ଉପରେ ଥିବା ଶ୍ରମିକମାନେ କାଜୁ ବସ୍ତା ତଳେ ଚାପି ହୋଇଯାଇଥିଲେ । ସମସ୍ତେ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହଗୁଡ଼ିକୁ ବସ୍ତା ତଳୁ ବାହାର କରିଥିଲା ।

ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ସରକାର ସମସ୍ତ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ପ୍ରଦାନ କରିବେ ବୋଲି ଆଶ୍ୱସନା ଦେଇଛନ୍ତି ।

You might also like