ଝାଡ଼ଖଣ୍ଡର ହଜାରିବାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ପାଟନା ଯାଉଥିବା ଏକ ବସ୍ ଏଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣା ଯୋଗୁ ବସ୍ରେ ଥିବା ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ବସଟି କୋଲକାତାରୁ ବାହାରି ପାଟନା ଯାଉଥିଲା । ହଜାରିବାଗରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ସମୟରେ ବସରେ ପ୍ରାୟ ୫୦ ଯାତ୍ରୀ ଥିଲେ ।
ବରକଠାର ଗୋରହର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ପ୍ରାରମ୍ଭିକ ଖବରରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ବସ୍ ଭିତରେ ୪ରୁ ୫ ଜଣ ଯାତ୍ରୀ ଫସି ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସେପଟେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।
କୁହାଯାଉଛି ଯେ ଏଠାରେ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଚାଲିଛି । ନିର୍ମାଣ କାର୍ଯ୍ୟ ବେଳେ ରାସ୍ତାକୁ କାଟି ଦିଆଯାଇଥିଲା । ତେଣୁ ଏଠାରେ ବସଟି ଏକ ଗର୍ତ୍ତରେ ପଡ଼ିଯାଇଥିଲା । ବୁଲାଣିରେ କାଟୁଥିବା ବେଳେ ବସ୍ ଓଲଟି ପଡିଥିଲା । ପୋଲିସ ଦ୍ୱାରା ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି ।
ପୋଲିସ କହିଛି ଯେ ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି ୫୦ କିଲୋମିଟର ଦୂର ଗୋରହର ଥାନା ଅଞ୍ଚଳରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କାର୍ଯ୍ୟ ଚଳାଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।