ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଯାତ୍ରୀବାହୀ ଟାଟା ମ୍ୟାଜିକକୁ ଜୋରଦାର୍ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଆହତମାନଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ଅଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ଯାତ୍ରୀମାନଙ୍କୁ ବାହାର କରିଥିଲେ ।
କୁହାଯାଉଛି ଯେ ଟାଟା ମ୍ୟାଜିକରେ ଯାତ୍ରା କରୁଥିବା ଲୋକେ ହାଥରସର କୁମରାଇ ଗାଁରୁ ଏଟାର ନଗଲା ଇମଲିଆ ଗାଁକୁ ଯାଉଥିଲେ । ଏହି ସମୟରେ କୋତୱାଲି ହାଥରସ୍ ଜଙ୍କସନ ଥାନା ଅଧୀନ ସଲେମପୁର ନିକଟରେ ଦୁର୍ଘଟଣା ଘଟିଥିଲା ।
ହାଥରସର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ କୁମାର କହିଛନ୍ତି ଯେ ଚନ୍ଦପା ଗ୍ରାମ ନିକଟରେ ଏକ ପିକଅପ୍ ଓ କୋରିୟର୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରେ ତିନି ଜଣ ମହିଳା, ତିନି ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ଅଛି ।
ଗୁରୁତର ଆହତ ୬ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ବାକି ୭ ଜଣଙ୍କର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି । ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେପଟେ ଏହି ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି । ସିଏମ ଯୋଗୀ ଲେଖିଛନ୍ତି, ‘ହାଥରସ୍ ଜିଲ୍ଲାର ମଥୁରା-କାସଗଞ୍ଜ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟ ବିଦାରକ । ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ତୁରନ୍ତ ରିଲିଫ୍ କାର୍ଯ୍ୟ କରିବାକୁ ଏବଂ ଆହତମାନଙ୍କୁ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି’ ।
जनपद हाथरस में मथुरा-कासगंज हाइवे पर सड़क दुर्घटना में हुई जनहानि अत्यंत दुःखद एवं हृदय विदारक है।
मेरी संवेदनाएं शोक संतप्त परिजनों के साथ हैं।
जिला प्रशासन के अधिकारियों को राहत कार्यों को तेजी से संचालित करने एवं घायलों को तत्काल अस्पताल पहुंचाकर उनके समुचित उपचार के…
— Yogi Adityanath (@myogiadityanath) December 10, 2024
Also Read: ହିମାଚଳ ପ୍ରଦେଶ : ୨୦୦ ମିଟର ଗଭୀର ଖାଇକୁ ଖସିଲା ବସ୍, ଅନେକ ମୃତ ଆଶଙ୍କା