୭ ମାସର ଗର୍ଭବତୀ କରାଇବେ ନିଜର ଗର୍ଭପାତ! ହାଇକୋର୍ଟ ଦେଲେ ଅନୁମତି; ଜାଣନ୍ତୁ କ’ଣ ମାମଲା…

ଦିଲ୍ଲୀ ହାଇକୋର୍ଟ ୨୮ ସପ୍ତାହର ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି। ଗର୍ଭସ୍ଥ ଶିଶୁର ଅସ୍ୱାଭାବିକତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି କି, ପ୍ରଜନନ ପସନ୍ଦ ହେଉଛି ବ୍ୟକ୍ତିଗତ ସ୍ୱାଧୀନତା, ଯାହା ସମ୍ବିଧାନର ଧାରା ୨୧ରେ ଦର୍ଶାଯାଇଛି। ଜଷ୍ଟିସ୍ ଜ୍ୟୋତି ସିଂଙ୍କର ଏକ ବେଞ୍ଚ ମହିଳାଙ୍କ ନିବେଦନକୁ ସ୍ୱୀକାର କରି କହିଥିଲେ ଯେ ଯଦି ତାଙ୍କୁ ଏମିତି କରିବା ପାଇଁ ଅନୁମତି ଦିଆ ନ ଯାଏ, ତା’ ହେଲେ ଆବେଦନକାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପଡ଼ିବ। ଗର୍ଭସ୍ଥ ଶିଶୁର ଅସ୍ୱାଭାବିକତାକୁ ଦୃଷ୍ଟିରେ ରଖି ଗର୍ଭ ରଖିବା ଉଚିତ୍ କି ନୁହେଁ, ତାହା ନିର୍ଣ୍ଣୟ ନେବାକୁ ଆବେଦନକାରୀଙ୍କୁ ସ୍ୱାଧୀନତା ଦେବା ହିଁ ନ୍ୟାୟସଙ୍ଗତ।
ବେଞ୍ଚ୍ କହିଛନ୍ତି, ମେଡିକାଲ ବୋର୍ଡର ରିପୋର୍ଟ ଦେଖିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ଜାଣିବାକୁ ପାଇଛନ୍ତି ଯେ ଗର୍ଭସ୍ଥ ଶିଶୁ ସୁସ୍ଥ ଏବଂ ସାଧାରଣ ଜୀବନ ପାଇଁ ଅନୁକୂଳ ନୁହେଁ। ବେଞ୍ଚ୍ଙ୍କ ଅନୁଯାୟୀ, ଚିକିତ୍ସା ବିଶେଷଜ୍ଞମାନେ ନିଜ ରିପୋର୍ଟରେ କହିଛନ୍ତି କି, ପିଲାଟିକୁ ଜୀବନର ପ୍ରାରମ୍ଭିକ ଅବସ୍ଥାରେ ହାର୍ଟ ସର୍ଜରୀର ଆବଶ୍ୟକ ପଡ଼ିପାରେ ଅଥବା କିଛି ଦିନ ପରେ ଏମିତି ସ୍ଥିତି ସୃଷ୍ଟି ହୋଇପାରେ। ଏହିଭଳି ଭାବେ ପିଲାଟି ନିଜର କିଶୋରାବସ୍ଥା ଏବଂ ବୟସ୍କ ଅବସ୍ଥାରେ ଚିକିତ୍ସା ସେବା ଉପରେ ହିଁ ନିର୍ଭର କରିପାରେ। ତେଣୁ ପୋଷ୍ଟ-ଅପରେଟିଭ୍ ଜଟିଳତା ଏବଂ ଅନ୍ୟାନ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଗର୍ଭପାତକୁ ଅନୁମତି ଦେବା ହିଁ ଉଚିତ ନିର୍ଣ୍ଣୟ ବୋଲି ବେଞ୍ଚ୍ କହିଥିଲେ।
ବେଞ୍ଚ ଦର୍ଶାଇଛନ୍ତି ଯେ ଆବେଦନକାରୀ ଏହି ଯୁକ୍ତି ଦେବାରେ ସଫଳ ରହିଥିଲେ କି, ଗର୍ଭଧାରଣ ସମୟରେ ଗର୍ଭସ୍ଥ ଶିଶୁ ଏକ ବିରଳ ଜନ୍ମଗତ ହୃଦ୍ରୋଗରେ ପୀଡିତ, ଯାହାକି ଏକ ଭ୍ରୁଣ ଅସ୍ୱାଭାବିକତା। ଏଥିରେ ଜଟିଳତା ଏବଂ ବିପଦ ରହିବ। ଆବେଦନକାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏହା କ୍ଷତିକାରକ ପ୍ରଭାବ ପକାଉଛି। ଯଦିଓ ବେଞ୍ଚ୍ ଏହି ନିଷ୍ପତ୍ତି ନେବା ପୂର୍ବରୁ ଏକ ମେଡିକାଲ ବୋର୍ଡ ଗଠନ କରିଥିଲେ ଏବଂ ମହିଳାଙ୍କ ଗର୍ଭର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ ବୋର୍ଡ ନିଜ ରିପୋର୍ଟରେ ଦର୍ଶାଇଥିଲା ଯେ ଶିଶୁ ଜନ୍ମ ହେବାର ତୁରନ୍ତ ପରେ ହିଁ ହୃଦ୍ ଅସ୍ତ୍ରୋପଚାରର ଆବଶ୍ୟକ ପଡ଼ିବ।