ସିରିଆ: ନଦୀରେ ଖସିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍; ୭ ମୃତ, ୨୦ ଆହତ

ଉତ୍ତର-ପଶ୍ଚିମ ସିରିଆରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ସ୍କୁଲ ବସ୍ ରାସ୍ତାରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ମୃତକ ଏବଂ ଆହତମାନଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ପିଲା ଥିଲେ ।
ଜରୁରୀକାଳୀନ ସେବା ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି । ସ୍ଥାନୀୟ ନାଗରିକ ସୁରକ୍ଷା ସଙ୍ଗଠନ ଏକ ବୟାନରେ କହିଛି ଯେ ଏହି ଦୁର୍ଘଟଣା ଇଦଲିବ୍ ସହରର ପଶ୍ଚିମରେ ଥିବା ଦାର୍କୁଶ ନିକଟରେ ଘଟିଥିଲା । ଏଠାରେ ସ୍କୁଲ ବସ୍ ଓରୋଣ୍ଟେସ ନଦୀରେ ଖସିପଡିଥିଲା ।
ସ୍ଥାନୀୟ ନାଗରିକ ସୁରକ୍ଷା ସଙ୍ଗଠନ ମୁତାବକ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ପାଖାପାଖି ୬ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଚଳାଇଥିଲେ । ତେବେ ବସ୍ଟି ନଦୀକୁ କିପରି ଖସିଲା, ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଦାର୍କୁଶର ଏକ ହସ୍ପିଟାଲର ଡାକ୍ତର କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବସ୍ରେ ଛାତ୍ର ଏବଂ ଶିକ୍ଷକମାନେ ଥିଲେ ।