ଶ୍ରାବଣ ସୋମବାରରେ ଘଟିଗଲା ବଡ଼ ଅଘଟଣ । ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାଇଥିଲେ କିନ୍ତୁ ଭକ୍ତଙ୍କ ସହ ଏମିତି ଅଘଟଣ ଘଟିବ କେହି କେବେ କଳ୍ପନା ବି କରିନଥିଲେ । କେତେ ଆଶା ନେଇ ମନ୍ଦିର ଭିତରେ ଧାଡ଼ି ଲଗାଇ ଛିଡ଼ା ହୋଇଥିଲେ ଭକ୍ତ । କେତେବେଳେ ପାଳି ପଡ଼ିବ ଆଉ ବାବାଙ୍କୁ ପାଣି ଲାଗି କରିବେ । ଏହି କଥା ଭାବି ଭାବି ମନ୍ଦିର ବାହାରେ ଛିଡ଼ା ହୋଇଥିଲେ । କିନ୍ତୁ ହଠାତ କଣ ହେଲା କେଜାଣି କିଛି ଭକ୍ତ ଦୌଡ଼ିବାକୁ ଲାଗିଲେ । ଆରମ୍ଭ ହୋଇଗଲା ଦଳା ଚକଟା ଆଉ ଚାହୁଁ ଚାହୁଁ ତଳେ ପଡ଼ିଗଲେ କିଛି ଭକ୍ତ । ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ ମଧ୍ୟ କେହି ଶୁଣିବାକୁ ନଥିଲେ । ଆଉ ଭିଡ଼ କମିବା ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଲା ।
ବିହାରର ଜହାନାବାଦରେ ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଘଟିଯାଇଛି ଏମିତି ଏକ ବଡ଼ ଦୁର୍ଘଟଣା । ମଖଦୁମପୁରର ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଗତ କାଲିରୁ ହିଁ ସିଦ୍ଧେଶ୍ୱର ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗିଥିଲା । ମହାଦେବଙ୍କୁ ପାଣି ଲାଗି କରିବା ପାଇଁ ଭକ୍ତମାନେ କାହିଁ କେଉଁ ଦୂର ଦୂରାନ୍ତରରୁ ଆସିଥିଲେ । କିନ୍ତୁ ହଠାତ କଣ ହେଲା କେଜାଣି ଲୋକଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଗଲା । ଲୋକମାନେ ପରସ୍ପର ଉପରେ ପଡ଼ିବାକୁ ଲାଗିଲେ । ଆଉ ଅନେକ ଲୋକ ଦଳାଚକଟାରେ ଚାପି ହୋଇଗଲେ । ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜହାନାବାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ପ୍ରଶାସନ ଆଶଙ୍କା ପ୍ରକାଶ କରିଛି ।
ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ବେଳେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାମ ଆରମ୍ଭ କରିଥିଲେ। ଶ୍ରାବଣ ମାସରେ ବିଶେଷ କରି ସୋମବାର ଦିନ ବହୁ ସଂଖ୍ୟାରେ ଭକ୍ତ ମନ୍ଦିରକୁ ପାଣି ଲାଗି କରିବାକୁ ଆସନ୍ତି। ଏନେଇ ରବିବାର ରାତିରୁ ହିଁ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଲାଗିଥିଲା।
ସୁରକ୍ଷା ବ୍ୟବସ୍ଥାର ସମ୍ଭାବନା ବିଷୟରେ ପଚରାଯିବାରୁ ଏସଡିଓ ବିକାଶ କୁମାର କହିଛନ୍ତି ଯେ ରବିବାର ରାତିରେ ଭିଡ଼ ଅଧିକ ଥିଲା । ଚତୁର୍ଥ ସୋମବାର ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ହେବ ଏବଂ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହଠାତ ଭିଡ଼ ପାଇଁ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ ଓ କିଛି ଲୋକ ତଳେ ପଡ଼ି ଯାଇଥିଲେ । ଫଳରେ ଶ୍ୱାସରୁଦ୍ଧ ହୋଇ ଅନେକଙ୍କର ମୃତ୍ୟୁ ହୋଇଥିଲା। ଦଳାଚକଟା ଖବର ବିଷୟରେ ଜାଣିବା ପରେ ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ଜହାନାବାଦର ଡିଏମ୍ ଅଳଙ୍କୃତା ପାଣ୍ଡେ ସୂଚନା ଦେଇଛନ୍ତି ।