ଟିଭିରେ ବାଜିଥିଲା ଲରେନ୍ସଙ୍କ ଇଣ୍ଟରଭ୍ୟୁ, ୨ DSPଙ୍କ ସମେତ ୭ ପଞ୍ଜାବ ପୋଲିସ ଅଧିକାରୀ ନିଲମ୍ବିତ

ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇଙ୍କ ଇଣ୍ଟରଭ୍ୟୁ ମାମଲାରେ ପଞ୍ଜାବ ସରକାର ଦେଢ଼ ବର୍ଷ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟର ଭଗବନ୍ତ ମାନ ସରକାର ଏହି ମାମଲାରେ ଡିଏସପି ଗୁରଶେର୍ ସିଂ ସନ୍ଧୁଙ୍କ ସହ ଅନ୍ୟ ୬ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏହି ୭ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଜେଲ୍ ଭିତରୁ ଲରେନ୍ସଙ୍କ ସହ ଇଣ୍ଟରଭ୍ୟୁର ବ୍ୟବସ୍ଥା କରାଯାଇଥିଲା ।

୨୦୨୨ ଏପ୍ରିଲ ୩ ମଧ୍ୟରାତ୍ରିରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଲରେନ୍ସଙ୍କ ସାକ୍ଷାତକାର ପାଇଁ ବ୍ୟବସ୍ଥା ହୋଇଥିଲା । ସେତେବେଳେ ଲରେନ୍ସ ଖରଡ଼ର ସିଆଇଏ ଥାନାରେ ପୋଲିସ ହେପାଜତରେ ଥିଲେ । ତେବେ ଡ୍ୟୁଟିରେ ଅବହେଳା ଅଭିଯୋଗରେ ଏହି ସମସ୍ତ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି ।

ପାଖାପାଖି ଦେଢ଼ ବର୍ଷ ତଳେ ଲରେନ୍ସ ବିଷ୍ଣୋଇଙ୍କର ଦୁଇଟି ଇଣ୍ଟରଭ୍ୟୁ ଏକ ଘରୋଇ ଟିଭି ଚ୍ୟାନେଲରେ ବାଜିଥିଲା, ଯାହା କି ଖୁବ୍ ଭାଇରାଲ ହୋଇଥିଲା । ଆଉ ଏଥିପାଇଁ ପଞ୍ଜାବ ସରକାର ଏବଂ ପୋଲିସକୁ ବହୁ ସମାଲୋଚନା କରାଯାଇଥିଲା । ଏବେ ତଦନ୍ତରେ ଏହି ୭ ପୋଲିସ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ପଞ୍ଜାବ ମାନବ ଅଧିକାର ଆୟୋଗର ସ୍ଵତନ୍ତ୍ର ଡିଜିପି ପ୍ରବୋଧ କୁମାରଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଯାଞ୍ଚ କମିଟି (ଏସଆଇଟି) ଗଠନ କରାଯାଇଥିଲା । ଏହି କମିଟି ନିଜ ରିପୋର୍ଟରେ ୭ ଜଣ ପୋଲିସ ଅଧିକାରୀଙ୍କୁ ଦୋଷୀ ବୋଲି ଦର୍ଶାଇଥିଲା । ଏହାପରେ ବର୍ତ୍ତମାନ ପଞ୍ଜାବ ସରକାର ଏହି ନିଲମ୍ବନର ଆଦେଶ ଦେଇଛନ୍ତି ।

ନିଲମ୍ବିତ ପୋଲିସ ଅଧିକାରୀମାନେ ହେଲେ, ଡିଏସପି ଗୁରଶେର୍ ସିଂ ସନ୍ଧୁ, ଡିଏସପି ସମର ଭନିତ୍, ସବ୍-ଇନ୍ସପେକ୍ଟର ରିନା (ଖରଡ଼ ସିଆଇଏ), ସବ୍-ଇନ୍ସପେକ୍ଟର ଜଗତପାଲ ଜାଙ୍ଗୁ, ସବ୍-ଇନ୍ସପେକ୍ଟର ଶଗନଜିତ୍ ସିଂ, ସହାୟକ ସବ୍-ଇନ୍ସପେକ୍ଟର ମୁଖତିୟାର ସିଂ ଓ ହେଡ୍ କନଷ୍ଟେବଳ ଓମ୍ ପ୍ରକାଶ ।

ଲରେନ୍ସଙ୍କ ଇଣ୍ଟରଭ୍ୟୁ ପାଇଁ ପଞ୍ଜାବ ପୋଲିସ ୨୦୨୪ ଜାନୁୟାରୀ ୫ରେ ମୋହାଲିର ଫେଜ୍-୪ସ୍ଥିତ ଷ୍ଟେଟ୍ କ୍ରାଇମ୍ ଥାନାରେ ମାମଲା ପଞ୍ଜିକୃତ କରିଥିଲା ।