ରାଜସ୍ଥାନର ଭରତପୁରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ନଦୀରେ ବୁଡ଼ି ୭ ଜଣ ପ୍ରାଣ ହରାଇଛନ୍ତି । ସୋସିଆଲ ମିଡିଆ ପାଇଁ ରିଲ୍ କରିବା ତଥା ନଦୀରେ ଗାଧୋଇବା ପାଇଁ ପାଖ ଗାଁର ୮ ଜଣ ଯୁବକ ଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୭ ଜଣ ନଦୀ ପାଣିରେ ବୁଡ଼ିଯାଇଥିଲେ ।
୭ ଜଣ ବୁଡ଼ିଯାଉଥିବାର ଦେଖି ବାକି ଅନ୍ୟ ଜଣେ ସେଠାରୁ ଦୌଡ଼ିଯାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବୁଡ଼ିଯାଇଥିବା ସମସ୍ତଙ୍କୁ ବାହାର କରି ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।
ବୟାନା ତହସିଲ ଅନ୍ତର୍ଗତ ଶ୍ରୀନଗର ଗାଁରେ ଏହି ଘଟଣା ଘଟିଛି । ଏଠାରେ ବହି ଯାଇଥିବା ବାଣଗଙ୍ଗା ନଦୀରେ ଅନେକ ବର୍ଷ ପରେ ପାଣି ଆସିଥିବାରୁ ଯୁବକମାନେ ଖୁସି ଥିଲେ । ସମସ୍ତେ ନଦୀକୁ ଯାଇ ଗାଧୋଇବା ଏବଂ ରିଲ୍ କରିବାକୁ ଏକାଠି ହୋଇଥିଲେ । କିନ୍ତୁ ଗାଧୋଇବା ବେଳେ ଅସାବଧାନତା ହେତୁ ୭ ଜଣ ନଦୀରେ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି ।
ମୃତକମାନଙ୍କ ଭିତରୁ କାହାରିକୁ ବି ପହଁରା ଜଣା ନ ଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ସମ୍ପର୍କୀୟ ଭାଇ ଥିବା ସୂଚନା ରହିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ୭ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକର ଛାଇ ଖେଳିଯାଇଛି ।