ସୁଦାନର ହସ୍ପିଟାଲ ଉପରେ ଭୀଷଣ ଡ୍ରୋନ୍ ଆକ୍ରମଣ, ୭୦ ମୃତ, ୧୯ରୁ ଅଧିକ ଆହତ

ଆଫ୍ରିକୀୟ ଦେଶ ସୁଦାନର ଡାର୍ଫର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି । ଏଥିରେ ୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେୟସସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ କରି ଏହା ବିଷୟରେ ସୂଚନା ଦେଇଛନ୍ତି ।

ଅଲ୍ ଫାସର ସହରର ଏକମାତ୍ର କାର୍ଯ୍ୟକ୍ଷମ ସାଉଦି ଟିଚିଙ୍ଗ୍ ମାଟରନାଲ୍ ହସ୍ପିଟାଲ ଉପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ବେଳେ ହସ୍ପିଟାଲରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କର ପ୍ରବଳ ଭିଡ଼ ଥିଲା । ଅନେକ ଆହତଙ୍କର ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଚାଲିଛି । କିନ୍ତୁ ଚିକିତ୍ସା ସୁବିଧାର ଘୋର୍ ଅଭାବ ହେତୁ ଉପଯୁକ୍ତ ସେବା ମିଳିବା କଷ୍ଟକର ହୋଇପଡ଼ିଛି । ଆକ୍ରମଣରେ ସବୁଠାରୁ ଅଧିକ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ସେପଟେ ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ଏ ପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ସ୍ଥାନୀୟ ଅଧିକାରୀମାନେ ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସେଜ୍ (RSF)କୁ ଏଥିପାଇଁ ଦାୟୀ କରିଛନ୍ତି । RSF ଏହି ଅଭିଯୋଗକୁ ଖାରଜ କରିଛି । ଅଲ୍ ଫାସର ଆକ୍ରମଣ ପାଇଁ RSF ନିଜକୁ ଦାୟୀ କରିନାହିଁ ।

କୁହାଯାଉଛି ଯେ ନିକଟରେ ସୁଦାନୀ ସେନା ଏବଂ RSF ମଧ୍ୟରେ ସଂଘର୍ଷ ବଢ଼ିବା କାରଣରୁ ଏହି ଆକ୍ରମଣ ହୋଇଛି । ସେନା ମୁଖ୍ୟ ଜେନେରାଲ ଅବଦେଲ-ଫତେହ ବୁରହାନଙ୍କ ନେତୃତ୍ୱରେ ସୁଦାନୀ ସେନା RSFକୁ ଅନେକ ଅଞ୍ଚଳରେ ପଛକୁ ହଟିବାକୁ ବାଧ୍ୟ କରିଥିଲା ।

ଅଲ୍ ଫାସର ସହର ରାଜଧାନୀ ଖାର୍ତୁମଠାରୁ ୮୦୦ କିଲୋମିଟର (୫୦୦ ମାଇଲ୍) ଦକ୍ଷିଣ-ପଶ୍ଚିମରେ ରହିଛି । ଏଠାରେ ପ୍ରାୟ ୧୦ ଲକ୍ଷ ଲୋକ ବାସ କରନ୍ତି । ତେବେ ଏହି ଯୁଦ୍ଧ ହେତୁ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି ।

You might also like