ବିଲ୍‌ବୋର୍ଡ ଦୁର୍ଘଟଣା: ଭଗ୍ନାବଶେଷ ତଳୁ ୭୩ଟି ଭଙ୍ଗାରୁଜା ଗାଡ଼ି ଉଦ୍ଧାର, ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ କରୁଛି ପଚରାଉଚରା

ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଲ୍‌ବୋର୍ଡ ଦୁର୍ଘଟଣା ୧୬ ଜଣଙ୍କ ଜୀବନ ନେଇଛି । ଏଥିରେ ବହୁ ଆର୍ଥିକ କ୍ଷତି ମଧ୍ୟ ଘଟିଛି । ଦୁର୍ଘଟଣା ପରଠାରୁ ଲଗାତାର ୬୬ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଗୁରୁବାର ସକାଳେ ଶେଷ ହୋଇଛି ।

ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଲ୍‌ବୋର୍ଡ ଦୁର୍ଘଟଣା ୧୬ ଜଣଙ୍କ ଜୀବନ ନେଇଛି । ଏଥିରେ ବହୁ ଆର୍ଥିକ କ୍ଷତି ମଧ୍ୟ ଘଟିଛି । ଦୁର୍ଘଟଣା ପରଠାରୁ ଲଗାତାର ୬୬ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଗୁରୁବାର ସକାଳେ ଶେଷ ହୋଇଛି । ଭଗ୍ନାବଶେଷ ତଳୁ କାର୍‌ ସମେତ ୭୦ରୁ ଅଧିକ ଯାନବାହାନକୁ ଭଙ୍ଗାରୁଜା ଅବସ୍ଥାରେ ବାହାର କରାଯାଇଛି ।

ସେପଟେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ବିଲବୋର୍ଡର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଭବେଶ ଭିଣ୍ଡେଙ୍କୁ ରାଜସ୍ଥାନରୁ ଗିରଫ କରିଛି । ସେ ଉଦୟପୁରରେ ଲୁଚି ରହିଥିଲେ । ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଟିମ୍‌ ତାଙ୍କୁ ପଚରାଉଚରା କରୁଛି ।

କହି ରଖୁଛୁ, ସୋମବାର ମୁମ୍ବାଇରେ ପ୍ରବଳ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା । ଏହି ସମୟରେ ଘାଟକୋପର ଅଞ୍ଚଳର ଛେଡ଼ା ନଗରସ୍ଥିତ ଏକ ପେଟ୍ରୋଲ ପମ୍ପ ଉପରେ ୧୨୦ ଫୁଟ୍‌ର ଏକ ବିଶାଳ ବିଲବୋର୍ଡ ଭାଙ୍ଗି ପଡ଼ିଥିଲା, ଯାହାଫଳରେ ବହୁ ସଂଖ୍ୟାରେ ଲୋକେ ଏବଂ ଯାନବାହନ ଏହା ତଳେ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ ଜଣ ଆହତ ହୋଇଛନ୍ତି ।

ବୃହନ୍‌ମୁମ୍ବାଇ ନଗର ନିଗମ (ବିଏମ୍‌ସି)ର କମିଶନର ଭୂଷଣ ଗଗରାନି ଦୁର୍ଘଟଣା ସ୍ଥଳରେ ୬୬ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ଗୁରୁବାର ସକାଳେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ନଗର ନିଗମ ମୁଖ୍ୟ ପେଟ୍ରୋଲ ପମ୍ପରେ ସ୍ଥିତି ସମୀକ୍ଷା କରିବା ପରେ ସକାଳ ୧୦ଟା ୩୦ରେ ଉଦ୍ଧାର ଅଭିଯାନକୁ ବନ୍ଦ କରିଦେଇଥିଲେ । ଯଦିଓ ଜେସିବି, ଡମ୍ପର, କ୍ରେନ୍ ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ଏହାପୂର୍ବରୁ ବୁଧବାର ମଧ୍ୟରାତ୍ରିରେ ଉଦ୍ଧାରକାରୀ ଦଳ ଏକ କାର୍‌ ତଳେ ଫସି ରହିଥିବା ଦୁଇଟି ମୃତଦେହକୁ ଉଦ୍ଧାର କରିଥିଲେ ।

ବିଏମ୍‌ସି ଅଧିକାରୀ କହିଛନ୍ତି, ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ୩୦ଟି ଦୁଇ ଚକିଆ ଯାନ, ୩୧ଟି ଚାରି ଚକିଆ ଯାନ, ୮ଟି ଅଟୋରିକ୍ସା ଏବଂ ଦୁଇଟି ଭାରୀ ଯାନ ସମେତ ୭୩ଟି ଗାଡି ଉଦ୍ଧାର କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.