ବୃଦ୍ଧାବସ୍ଥାରେ ବି କମିନି ପଢ଼ା ନିଶା, ଆଇନ୍ ପଢ଼ିବାକୁ ଅନୁମତି ଦେବାକୁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେଲେ ୭୭ ବର୍ଷୀୟା ମହିଳା
ପାଠ ପଢ଼ିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ। ଯେକୌଣସି ବୟସରେ ମଧ୍ୟ ଜଣେ ପାଠ ପଢ଼ିପାରିବ। କିନ୍ତୁ ଏକ ନିର୍ଦ୍ଦିଷ୍ଟ କୋର୍ସ କରିବାର ଏକ ନିର୍ଦ୍ଦିଷ୍ଟ ବୟସ ରହିଛି। ମାତ୍ର ଏବେ ଜଣେ ମହିଳା ପଢ଼ା ବୟସକୁ ନେଇ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଇନ୍ ପଢ଼ିବାକୁ ଇଚ୍ଛୁକ ଜଣେ ୭୭ ବର୍ଷୀୟା ମହିଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଭଳି ଏକ ଅଦ୍ଭୁତ ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶସ୍ଥିତ ସାହିବାବାଦ ନିବାସୀ ରାଜକୁମାରୀ ତ୍ୟାଗୀ ତିନି ବର୍ଷୀୟ LLB ପାଠ୍ୟକ୍ରମରେ ପ୍ରବେଶ ନ ମିଳିବାରୁ ଉଚ୍ଚତମ ନ୍ୟାୟାଳୟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ସେ ଏହି ମାମଲାରେ କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ତେବେ ମହିଳାଙ୍କ ଏହି ପିଟିସନ୍ ବିସିଆଇର ନିୟମକୁ ଚ୍ୟାଲେଞ୍ଜ କରିଛି।
ବିସିଆଇର ନିୟମ ମୁତାବକ ପାଞ୍ଚ ବର୍ଷୀୟ ପାଠ୍ୟକ୍ରମରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ୨୦ ବର୍ଷ ଓ ତିନି ବର୍ଷ ଏଲ୍ଏଲ୍ବିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି। ରାଜକୁମାରୀ ତ୍ୟାଗୀ କହିଛନ୍ତି ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ସମ୍ପତ୍ତି ବଞ୍ଚାଇବା ପାଇଁ ଆଇନଗତ ସମସ୍ୟା ସୃଷ୍ଟି ହେବାରୁ ସେ ଆଇନ୍ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ପାଖରେ କୌଣସି ଓକିଲ ନଥିବାରୁ ସେ ନିଜେ ସମସ୍ତ ଆଇନ୍ ବୁଝୁଛନ୍ତି। ଏଣୁ ସେ ଆଇନ୍ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ତ୍ୟାଗୀଙ୍କ ପିଟିସନ୍ରେ କୁହାଯାଇଛି ବିସିଆଇର ନିୟମ ସମ୍ବିଧାନର ଅନୁଚ୍ଛେଦ-୧୪(ଆଇନତଃ ସମାନତା), ୧୯(୧)(ଜି)(ଯେକୌଣସି ପେସା ବା ବୃତ୍ତି ଅଧିକାର) ଓ ୨୧(ବ୍ୟକ୍ତିଗତ ସ୍ୱାଧୀନତା ତଥା ଜୀବନ ରକ୍ଷା)ରୁ ବଞ୍ଚିତ କରାଯାଉଛି। ମହିଳା କୋର୍ଟଙ୍କୁ ଅନୁରୋଧ କରି କହିଛନ୍ତି ତାଙ୍କୁ ତାଙ୍କ ପସନ୍ଦର କଲେଜରେ ପଢ଼ିବାକୁ ମୌଳିକ ଅଧିକାର ମିଳୁ ଓ ଅନୁଚ୍ଛେଦ-୨୧ରେ ମିଳିଥିବା ଅଧିକାରକୁ ତାଙ୍କ ଠାରୁ ଛଡ଼ାଇ ନିଆନଯାଉ।