ଏଥର ଅଗଷ୍ଟ ୧୫ରେ ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲ୍ଲା ଦୁର୍ଗରୁ ଦେଶକୁ ସମ୍ବୋଧନ କରିବେ । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୂଚନା ଅନୁସାରେ, ଏଥର ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରେ ସମାରୋହ ଦେଖିବା ପାଇଁ ପାଖାପାଖି ୬,୦୦୦ ସ୍ୱତନ୍ତ୍ର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳକୁ ମଧ୍ୟ ଉତ୍ସବରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି ।
ଅଗଷ୍ଟ ୧୫ ତାରିଖ ସକାଳ ୬ଟା ୨୦ରେ ଏନ୍ସିସିର ସମସ୍ତ କ୍ୟାଡେଟ୍ ସେମାନଙ୍କ ପୋଜିସନ ନେବେ । ଏହାପରେ ସମସ୍ତ ପ୍ରସ୍ତୁତି ଯାଞ୍ଚ କରାଯିବ । ସକାଳ ୭ଟା ୧୭ରେ ପିଏମ୍ ମୋଦି ଲାଲ୍କିଲ୍ଲାରେ ପହଞ୍ଚିବେ । ୭ଟା ୧୯ରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ।
ଏହାପରେ ୭ଟା ୨୬ ମିନିଟ୍ରେ ପିଏମ୍ ମୋଦି ତିନି ସେନାର ମୁଖ୍ୟଙ୍କୁ ଭେଟିବେ ଏବଂ ୭ଟା ୩୦ରେ ଜାତୀୟ ପତାକା ଉତ୍ତୋଳନ କରିବେ । ୭ଟା ୩୩ରେ ସେ ଦେଶକୁ ସମ୍ବୋଧନ କରିବେ । ୮ଟା ୩୦ ମିନିଟ୍ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ । ଏହାପରେ ମୋଦିଙ୍କ ସହିତ ଏନ୍ସିସି କ୍ୟାଡେଟ ଏବଂ ଅନ୍ୟ ଯବାନମାନେ ଲାଲ୍କିଲ୍ଲାରୁ ପ୍ରସ୍ଥାନ କରିବେ ।