ଦିଲ୍ଲୀରେ ଧରାପଡ଼ିଲେ ୮ ବାଂଲାଦେଶୀ ନାଗରିକ, ଜଙ୍ଗଲ ରାସ୍ତା ଦେଇ ଭାରତରେ କରିଥିଲେ ପ୍ରବେଶ
ଦିଲ୍ଲୀରେ ଧରାପଡ଼ିଛନ୍ତି ୮ ବାଂଲାଦେଶୀ ନାଗରିକ । ଅବୈଧ ରୂପେ ସେମାନେ ଭାରତରେ ପ୍ରବେଶ କରିଥିଲେ । ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସମେତ ଏହି ୮ ବାଂଲାଦେଶୀ ନାଗରିକ ଜଙ୍ଗଲ ରାସ୍ତା ଏବଂ ଏକ୍ସପ୍ରେସ୍ ଟ୍ରେନ ଯୋଗେ ଭାରତରେ ପଶିଥିଲେ । ସେମାନଙ୍କୁ FRRO ମାଧ୍ୟମରେ ବାଂଲାଦେଶକୁ ପଠାଯାଇଛି ।
ଦିଲ୍ଲୀରେ ବେଆଇନ ବାଂଲାଦେଶୀ ନାଗରିକଙ୍କ ସମେତ ଅବୈଧ ପ୍ରବାସୀମାନଙ୍କ ଯାଞ୍ଚ ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳରେ ଅଭିଯାନ ଚଲାଯାଇଥିଲା । ଘର ଘର ବୁଲି ଯାଞ୍ଚ କରାଯାଇଥିଲା । ପାଖାପାଖି ୪୦୦ ପରିବାରଙ୍କୁ ଯାଞ୍ଚ କରାଯାଇ ସେମାନଙ୍କ ଦସ୍ତାବିଜ୍ ସଂଗ୍ରହ କରାଯାଇଥିଲା । ଦିଲ୍ଲୀ ପୋଲିସ କହିଛି ଯେ ଏହି ଅଭିଯାନ ସମୟରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୮ ବାଂଲାଦେଶୀ ନାଗରିକ ଧରାପଡ଼ିଛନ୍ତି ।
ଏମାନେ ସମସ୍ତେ ବାଂଲାଦେଶର ବାସିନ୍ଦା ଏବଂ ଏଠାରେ ରହି ବିଭିନ୍ନ କ୍ଷେତ୍ରରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଅନ୍ୟ ଏକ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଧରାଯାଇ ଆର୍.କେ ପୁରମରୁ ବିତାଡ଼ିତ କରାଯାଇଛି ।
ନିକଟରେ ଆର୍.କେ ପୁରାମର ସେକ୍ଟର-୨ସ୍ଥିତ ଶ୍ରମିକ କ୍ୟାମ୍ପରେ ରହୁଥିବା ଜଣେ ବେଆଇନ ବାଂଲାଦେଶୀ ନାଗରିକଙ୍କ ବିଷୟରେ ପୋଲିସକୁ ସୂଚନା ମିଳିଥିଲା । ଏଠାରେ ରହି ସେ ଭଡ଼ାରେ ଘର ଖୋଜୁଥିଲେ । ବ୍ୟକ୍ତି ଜଣକ ଧରାପଡ଼ିବା ପରେ ପ୍ରଥମେ ନିଜକୁ ପଶ୍ଚିମବଙ୍ଗର ନିବାସୀ ବୋଲି କହିଥିଲେ । କିନ୍ତୁ କ୍ରମାଗତ ପଚରାଉଚରା ପରେ ବାଂଲାଦେଶର ମଦାରିପୁର ତାଙ୍କର ପୈତୃକ ଠିକଣା ବୋଲି ସେ ପ୍ରକାଶ କରିଥିଲେ ।