ଉଗ୍ର ରୂପ ନେଲାଣି ‘ମାରବର୍ଗ’ ଭାଇରସ୍, ତାଞ୍ଜାନିଆରେ ୮ ମୃତ୍ୟୁ ପରେ ସତର୍କ ହେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

HMPV ପରେ ଏବେ ଲୋକଙ୍କ ଜୀବନ ନେବା ଆରମ୍ଭ କଲାଣି ‘ମାରବର୍ଗ’ ଭାଇରସ୍ । ତାଞ୍ଜାନିଆରେ ୮ ଜଣଙ୍କ ମୃତ୍ୟୁ ପରେ ସତର୍କ ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) । ଉତ୍ତର ତାଞ୍ଜାନିଆର ଏକ ଦୁର୍ଗମ ଅଞ୍ଚଳରେ ମାରବର୍ଗ ଭାଇରସରେ ଆକ୍ରାନ୍ତ ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଥିବା WHO କହିଛି ।

WHO ମୁଖ୍ୟ ଟେଡ୍ରୋସ୍ ଅଧନୋମ୍ ଘେବ୍ରେୟସସ୍ ଏକ ବିବୃତ୍ତିରେ କହିଛନ୍ତି, ତାଞ୍ଜାନିଆରେ ମାରବର୍ଗ ଭାଇରସ୍ ସଂକ୍ରମଣର ୯ଟି ମାମଲା ବିଷୟରେ ଆମେ ସୂଚନା ପାଇଛୁ, ସେଥିମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ଇବୋଲା ପରି ମାରବର୍ଗ ଜୀବାଣୁ ଫଳ, ବାଦୁଡ଼ି ଆଦିଙ୍କଠାରୁ ଉତ୍ପନ୍ନ ହୋଇଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହା ଅନ୍ୟ ଜଣଙ୍କୁ ବ୍ୟାପେ ।

ଯଦି ଚିକିତ୍ସା କରା ନ ଯାଏ, ମାରବର୍ଗ ରୋଗରେ ପୀଡ଼ିତ ୮୮ ପ୍ରତିଶତ ଲୋକଙ୍କ ପାଇଁ ଏହା ଘାତକ ହୋଇପାରେ । ଏହାର ଲକ୍ଷଣଗୁଡ଼ିକ ହେଉଛି ଜ୍ୱର, ମାଂସପେଶୀ ଯନ୍ତ୍ରଣା, ଝାଡ଼ା, ବାନ୍ତି ଏବଂ କେତେକ କ୍ଷେତ୍ରରେ ଅତ୍ୟଧିକ ରକ୍ତ କ୍ଷୟ ହେତୁ ମୃତ୍ୟୁ ମଧ୍ୟ ହୋଇଥାଏ । ବର୍ତ୍ତମାନ ମାରବର୍ଗ ପାଇଁ କୌଣସି ସ୍ୱୀକୃତିପ୍ରାପ୍ତ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ । ତାଞ୍ଜାନିଆର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତରଫରୁ ଏ ନେଇ କୌଣସି ବିବୃତ୍ତି ଦିଆଯାଇ ନାହିଁ ।

ପ୍ରଥମ ଥର ସେପ୍ଟେମ୍ବର ୨୭ରେ ରୱାଣ୍ଡାରେ ମାରବର୍ଗର ପ୍ରକୋପ ଚିହ୍ନଟ ହୋଇଥିଲା । ଡିସେମ୍ବର ୨୦ରେ ଏହା ଘୋଷଣା କରାଯାଇଥିଲା । ରୱାଣ୍ଡାର ଅଧିକାରୀମାନେ ଏହି ରୋଗରେ ମୋଟ ୧୫ ଜଣଙ୍କ ମୃତ୍ୟୁ ଏବଂ ୬୬ଟି ମାମଲା ସମ୍ପର୍କରେ ସୂଚନା ଦେଇଥିଲେ ।

ସେପଟେ ଚୀନର HMPV ଭାଇରସ୍ ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇଦେଇଛି । କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି ଏହି ରୋଗ । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି ।

You might also like