ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଟ୍ରକକୁ ପିଟିଲା ସ୍ଲିପର୍ ବସ୍, ୮ ମୃତ, ୧୫ରୁ ଅଧିକ ଆହତ
ୟୁପିର କନୌଜରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଏକ୍ସପ୍ରେସ୍ ୱେରେ ଟ୍ରକକୁ ଧକ୍କା ଦେବା ପରେ ଏକ ସ୍ଲିପର୍ ବସ ଏହା ମଧ୍ୟରେ ପଶିଯାଇଥିଲା । ଫଳରେ ବଡ଼ ଦୁର୍ଘଟଣା ଘଟିଥିଲା । ବସ୍ରେ ମୋଟ ୪୦ ଜଣ ଯାତ୍ରୀ ଥିଲେ ।
ଡିଏମ୍ ଓ ଏସପି ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ କରାଯାଇ ରାସ୍ତା ସଫା କରାଯାଇଛି । ଏହି ଦୁର୍ଘଟଣା ଆଜି ଅପରାହ୍ନରେ କନୌଜର ସକରାଭା ଥାନା ଅଧୀନ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେ (୧୪୧)ର ଔରେୟା ସୀମା ନିକଟରେ ଘଟିଛି । ସେପଟେ ଏହି ରାସ୍ତା ଦେଇ ଯାଉଥିବା ୟୁପି ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ ମଧ୍ୟ ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଅଟକି ଯାଇଥିଲେ । ସେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଅନୁସାରେ, ଚଳନ୍ତା ବସ୍ ଅନିୟନ୍ତ୍ରିତ ହୋଇ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା ପରେ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ପହଞ୍ଚିଥିଲେ । ବସର କାଚ ଭାଙ୍ଗି ସେମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଦ୍ଧାର ପାଇଁ ଅନେକ ଘଣ୍ଟା ଲାଗିଥିଲା । ଏ ନେଇ କନୌଜ ଏସପି ଅମିତ କୁମାର ଆନନ୍ଦ କହିଛନ୍ତି, ମୃତକଙ୍କ ସଂଖ୍ୟା ୮ ଏବଂ ଆହତଙ୍କ ସଂଖ୍ୟା ୧୯ ରହିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ମୃତକଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ସୂଚନା ଦିଆଯାଇଛି ।
କହି ରଖୁଛୁ, ଏହା ପୂର୍ବରୁ ଉତ୍ତର ପ୍ରଦେଶର ଦୁଇଟି ଜାଗାରେ ମଧ୍ୟ ଏହିପରି ଭୟଙ୍କର ଦୁର୍ଘଟଣା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।