ଆମେରିକାର ଏୟାରପୋର୍ଟରେ ଥିବା FedEx ସେଣ୍ଟରରେ ଗୁଳିକାଣ୍ଡ: ୮ ମୃତକ ମଧ୍ୟରୁ ୪ ଜଣ ଶିଖ ସଂପ୍ରଦାୟର

ଯୁକ୍ତରାଷ୍ଟ୍ର ଆମେରିକୀୟ ସହର ଇଣ୍ଡିଆନାପଲିସ୍ ଅନ୍ତର୍ରାଷ୍ଟ୍ରୀୟ ବିମାନବନ୍ଦରରେ ଗତକାଲି ରାତିରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ନିହତ ହୋଇଥିବା ଆଠଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ଶିଖ୍ ବୋଲି ଶିଖ୍ ସଙ୍ଗଠନର ନେତାମାନେ କହିଛନ୍ତି। ଏହି ଗୁଳିକାଣ୍ଡରେ ଅନ୍ୟ ୫ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।

ଏଠିକାର ଏୟାରପୋର୍ଟରେ ଥିବା ଫେଡଏକ୍ସ ୱେୟାରହାଉସର ଜଣେ ବ୍ଯକ୍ତି ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଗୁଳି କରିଥିବା ବ୍ୟକ୍ତିଜଣକ ଇଣ୍ଡିଆନାର ୧୯ ବର୍ଷୀୟ ବ୍ରାଣ୍ଡନ୍ ସ୍କଟ୍ ହୋଲ୍ ବୋଲି ଜଣାପଡ଼ିଛି। ଗୁଳି ଚଳାଇବା ପରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ମିଶାଇ ଏ ଗୁଳିକାଣ୍ଡ ଘଟଣାରେ ସମୁଦାୟ ୯ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

ଶିଖ୍ ସଙ୍ଗଠନର କର୍ମୀ ମନିନ୍ଦର ସିଂହ ଓ୍ଵାଲିଆ କହିଛନ୍ତି, ନିହତ ୪ ଶିଖ୍ମାନଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ମହିଳା। ସେମାନେ ହେଲେ ଅମରଜିତ୍ କୌର୍ ସେଖୋନ୍, ଜସଓ୍ଵିନ୍ଦର କୌର୍, ଅମରଜିତ୍ କୌର ଜୋହଲ, ଯଶଓ୍ଵିନ୍ଦର ସିଂହ । ଆହତ ହୋଇଥିବା ହରପ୍ରୀତ୍ ସିଂହ ଗିଲ୍ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାରେ ଶିଖ୍ ସମ୍ପ୍ରଦାୟ ମର୍ମାହତ ହୋଇପଡ଼ିଛି।

ଫେଡଏକ୍ସ ଡେଲିଭରୀ ସେବା ପ୍ରଦାନକାରୀ କମ୍ପାନୀ। ଏଠାରେ କାମ କରୁଥିବା ୯୦ ପ୍ରତିଶତରୁ ଅଧିକ କର୍ମଚାରୀ ଭାରତୀୟ ଅଟନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଶିଖ ସଂପ୍ରଦାୟର। ଏହି ଦୁଃଖଦ ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍ ଶୋକ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.