ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିଲା ୮ ମାସ, ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଜେଲେନସ୍କି କହିଲେ କିଛି ଏମିତି

କେନ୍ୟୁଜ୍: ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିଲା ୮ ମାସ । ଫେବ୍ରୁଆରୀ ୨୪ ତାରିଖରେ ୟୁକ୍ରେନ୍‌ ଉପରେ ହମଲା କରିଥିଲା ରୁଷିଆ । ଏହା ଭିତରେ ୮ ମାସ ବିତି ଯାଇଛି । ବ୍ୟାଟଲ ଗ୍ରାଉଣ୍ଡରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜୋରଦାର ହେଉଛି । ଦେଶବାସୀଙ୍କୁ ସମ୍ବୋଧିତ କରି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ୮ ମାସର ଯୁଦ୍ଧରେ ୟୁକ୍ରେନ୍‌ ଦମ୍‌ ଦେଖାଇଛି । ଆମେ ବିଶ୍ୱର ଦ୍ୱିତୀୟ ବଡ଼ ସେନାକୁ ହରାଇଛୁ ।

ରୁଷ ଦଖଲରେ ଥିବା ଅଞ୍ଚଳକୁ ପୁଣି ଥରେ ଅକ୍ତିଆର କରିଛି ୟୁକ୍ରେନ୍‌ । ରୁଷକୁ ଚେତେଇ ଦେଇ ଜେଲେନସ୍କି କହିଛନ୍ତି, ଡୋନବାସ, ଖାରକିଭ୍‌ ଓ ଖେରସନକୁ ଛଡ଼ାଇ ଆଣିବ ୟୁକ୍ରେନ୍‌ । କ୍ରିମିଆ ଓ ଜାପୋରଝିଆକୁ ମଧ୍ୟ ଛଡ଼ାଇ ଆଣିବୁ । ଜେଲେନସ୍କି କହିଛନ୍ତି, ସେଇ ସମୟ ଆସିବ । ରୁଷ୍‌ ଦଖଲ କରିଥିବା ସବୁ ଅଞ୍ଚଳ ୟୁକ୍ରେନର ହେବ । ରୁଷ୍‌ ୟୁକ୍ରେନରେ ଅକ୍ତିଆର କରିଥିବା ୪ଟି ଅଞ୍ଚଳକୁ ନିଜ ସୀମାରେ ମିଶାଇବା ପରେ ଯୁଦ୍ଧର ମୋଡ଼ ବଦଳିଛି । ଆହୁରି ଭୟଙ୍କର ହୋଇଛି ଆକ୍ରମଣ ଓ ପ୍ରତିଆକ୍ରମଣ । ୟୁକ୍ରେନର ବିଭିନ୍ନ ସହରରେ ବର୍ବର ହମଲା କରୁଛି ପୁଟିନ୍‌ ସେନା । ଏଭଳି ସ୍ଥିତିରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରର ସହଯୋଗରେ ଶକ୍ତିଶାଳୀ ରୁଷକୁ ମୁହାଁତୋଡ ଜବାବ ଦେଉଛି ୟୁକ୍ରେନ୍‌ ।