ୟୁପି: ରାସ୍ତା ପାର୍ଶ୍ୱରେ ଶୋଇଥିଲା ପୂରା ପରିବାର, ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌; ଉଡ଼ିଗଲା ୮ ଜଣଙ୍କ ପ୍ରାଣବାୟୁ

ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଆଜି ଭୋର୍‌ ସମୟରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି । ଏଠାରେ ରାସ୍ତା ପାର୍ଶ୍ୱ ଝୁମ୍ପୁଡ଼ିରେ ଶୋଇଥିବା ଏକ ପରିବାର ଉପରେ ବାଲି ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି ।

ମୃତକମାନଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ହିଁ ପରିବାରର ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଏହି ପରିବାର ସଦସ୍ୟମାନେ ଜୋର୍‌ରେ ଚିତ୍କାର କରିଥିଲେ । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହଗୁଡ଼ିକୁ ଟ୍ରକ୍‌ ତଳୁ ବାହାର କରିଥିଲା ।

ସୂଚନା ମୁତାବକ, ଟ୍ରକ୍‌ଟି ଗଙ୍ଗା କୂଳରୁ ବାଲି ଉଠାଇ ହରଦୋଇ ଆଡ଼କୁ ଯାଉଥିଲା । ଅଧିକ ବାଲି ବୋଝେଇ ହୋଇଥିବାରୁ ଏହା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା । ଖବର ପାଇ ପୋଲିସ ପହଞ୍ଚି ଜେସିବି ସହାୟତାରେ ଟ୍ରକ୍‌ ତଳୁ ମୃତଦେହଗୁଡ଼ିକୁ ବାହାର କରିଥିଲା । ଏଥିରେ ସ୍ଥାନୀୟ ଲୋକମାନେ ପୋଲିସକୁ ସାହାଯ୍ୟ କରିଥିଲେ ।

ତେବେ ଉଦ୍ଧାର ବେଳେ ଜଣେ ଶିଶୁ କନ୍ୟାକୁ ଛାଡ଼ି ବାକି ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାଇ ଖେଳିଯାଇଛି ।

ପୋଲିସ ମୁତାବକ, ଏଠାରେ ଏକ ଆଦିବାସୀ ପରିବାର ଝୁମ୍ପୁଡ଼ି କରି ରହୁଥିଲେ । ପ୍ରତିଦିନ ପରି ମଙ୍ଗଳବାର ରାତିରେ ମଧ୍ୟ ଏହି ପରିବାର ରାସ୍ତା ପାର୍ଶ୍ୱସ୍ଥ ନିଜ ଝୁମ୍ପୁଡ଼ି ଘରେ ଶୋଇଥିଲେ । ହେଲେ ବୁଧବାର ଭୋର୍‌ ସମୟରେ ଏକ ବାଲି ବୋଝେଇ ଟ୍ରକ୍‌ ହଠାତ୍‌ ଏହି ଝୁମ୍ପୁଡ଼ି ଉପରେ ଓଲଟି ପଡ଼ିଥିଲା । ଟ୍ରକ୍‌ଟି ମେହନ୍ଦିଘାଟ କନୌଜ ଆଡ଼ୁ ହରଦୋଇ ଯାଉଥିଲା । ଘଟଣା ଘଟିବା ବେଳେ ପରିବାରର ସମସ୍ତ ସଦସ୍ୟ ଶୋଇଥିଲେ । ସୌଭାଗ୍ୟବଶତଃ, ଘଟଣାସ୍ଥଳରୁ ଜଣେ ଶିଶୁ କନ୍ୟା ଜୀବିତ ଅବସ୍ଥାରେ ମିଳିଛି । ବର୍ତ୍ତମାନ ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଛି ।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକମାନଙ୍କ ଶୋକସନ୍ତପ୍ତ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହତ ଶିଶୁର ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.