ଡ୍ରଗ୍ସ ନେଇ ଭାରତ ସୀମାରେ ପଶିଥିଲେ ୮ ପାକିସ୍ତାନୀ, ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ମୁମ୍ବାଇର ସ୍ଵତନ୍ତ୍ର କୋର୍ଟ

ମୁମ୍ବାଇର ଏକ ସ୍ଵତନ୍ତ୍ର କୋର୍ଟ ୮ ପାକିସ୍ତାନୀ ନାଗରିକଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୫ ଡ୍ରଗ୍ସ ଜବତ ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ପ୍ରକାଶ ଯେ ୨୦୧୫ରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳ ନିକଟରେ ହିରୋଇନ୍ ନେଇ ଯାଉଥିବା ଏକ ଡଙ୍ଗାରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୬.୯୬ କୋଟି ଟଙ୍କା ମୂଲ୍ୟର ୨୩୨ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା ।

ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍ସଟାନ୍ସ (NDPS) ଆକ୍ଟ ମାମଲାର ସ୍ୱତନ୍ତ୍ର ବିଚାରପତି ଶଶିକାନ୍ତ ବାଙ୍ଗର ଏହି ୮ ଜଣଙ୍କୁ ଡ୍ରଗ୍ସ ବିରୋଧୀ ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତମାନଙ୍କୁ NDPS ଆକ୍ଟ ଅନୁଯାୟୀ ସର୍ବାଧିକ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହାସହିତ କୋର୍ଟ ପ୍ରତ୍ୟେକଙ୍କ ଉପରେ ୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି ।

ସମସ୍ତ ଅଭିଯୁକ୍ତ ୨୦୧୫ରୁ ମୁମ୍ବାଇ ଜେଲରେ ଅଛନ୍ତି । ସୂଚନାଥାଉ କି, ଯେଉଁ ଡଙ୍ଗାରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା, ସେଥିରେ ୧୧ଟି ଡ୍ରମ୍ ଥିଲା । ଡ୍ରମଗୁଡ଼ିକରେ ୨୦ଟି ପ୍ଲାଷ୍ଟିକ୍ ଥଳି ଭିତରେ ଗହମ-ବ୍ରାଉନ୍ ରଙ୍ଗର ପାଉଡର ରହିଥିଲା । ପ୍ରତ୍ୟେକ ପ୍ୟାକେଟ୍ ଯାଞ୍ଚ ପରେ ତାହା ହିରୋଇନ ବୋଲି ଜଣାପଡ଼ିଥିଲା ।

୮ ପାକିସ୍ତାନୀ ନାଗରିକଙ୍କଠାରୁ ତିନୋଟି ସାଟେଲାଇଟ୍ ଫୋନ୍, ଜିପିଏସ୍ ନେଭିଗେସନ୍ ଚାର୍ଟ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଉଦ୍ଧାର କରାଯାଇଥିଲା । ପରେ ସେମାନଙ୍କୁ ଦକ୍ଷିଣ ମୁମ୍ବାଇର ୟେଲୋ ଗେଟ୍ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।