ପାଞ୍ଚ ଦିନର ସଂଘର୍ଷ ପରେ ବୋରେଓ୍ଵଲରେ ଫସିଥିବା ୮ ବର୍ଷର ତନ୍ମୟ ମୃତ

ବୈତୁଲ (ମଧ୍ୟପ୍ରଦେଶ) : ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ ସାହୁ । ମଧ୍ୟପ୍ରଦେଶରେ ବୋରେଓ୍ଵଲରେ ଫସିଥିବା ୮ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ବୋଲେଓ୍ଵଲ ଭିତରକୁ ତା ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍‌ । ଏହି ଖବର ଏବେ ପରିବାର ସହିତ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଖେଳାଇ ଦେଇଛି।

ମଧ୍ୟପ୍ରଦେଶ ବୈତୁଲ ଅନ୍ତର୍ଗତ ମାଣ୍ଡାଭି ଠାରେ ଏହି ଘଟଣା ଘଟିଥିଲା ଗତ ମଙ୍ଗଳବାର ଦିନ। ତନ୍ମୟ ଖେଳୁଥିବା ବେଳେ ହଠାତ୍ ବୋରେଓ୍ଵଲ ଭିତରେ ଖସି ପଡ଼ିଥିଲା । ତାକୁ ସୁରକ୍ଷିତ ଉଦ୍ଧାର ପାଇଁ ତା ସ୍କୁଲ ସାଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାୟତ୍ରୀ ମନ୍ତ୍ର ଜପୁଥିଲେ । ମା ଜ୍ୟୋତି ସାହୁ କାନ୍ଦି କାନ୍ଦି ଅଥୟ ହୋଇଯାଇଥିଲେ । ଥରେ ପୁଅକୁ ଦେଖିବାକୁ ବ୍ୟାକୁଳ ହେଉଥିଲେ । ଏତେ ସମୟର ଅପେକ୍ଷା ପରେ ଶେଷରେ ପୁଅକୁ ମୃତ ଅବସ୍ଥାରେ ପାଇଛନ୍ତି।

ଏପଟେ ବୈତୁଲର ଏଡିଏମ୍‌ ଶ୍ୟାମେନ୍ଦ୍ର ଜୟସ୍ୱାଲ କହିଛନ୍ତି କି ୪୫ ଫୁଟ ଖୋଳିବା ପରେ ମାଟି ଭିତରେ ଟାଣ ପଥର ସ୍ତର ପଡ଼ି ଯାଇଥିଲା । ତେଣୁ ଖୋଳିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଏହାପରେ ଏକ ସମାନ୍ତରାଳ ଗାତ ଖେଳିବାକୁ ସ୍ଥିର କରାଯାଇଥିଲା। ସେହିବାଟ ଦେଇ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା କରାଯାଇଥିଲା।

ହେଲେ ଉଦ୍ଧାର କାର୍ଯ୍ୟରେ ଅନେକ ପ୍ରକାର ଚ୍ୟାଲେଞ୍ଜ ରହିଥିଲା । ପ୍ରଥମେ ୨୫ ଫୁଟ ଯାଏ ଖୋଳା ଯିବା ପରେ ଭୂତଳ ଜଳ ଗାତ ଭିତରେ ପଶିଥିଲା । ଏହାକୁ ପମ୍ପ ଦ୍ୱାରା ବାହାର କରାଯାଇ ଖୋଳା କାମ ଚାଲିଥିଲା । ଯାହା ଉଦ୍ଧାର କାର୍ଯ୍ୟକୁ ବିଳମ୍ବ କରିଥିଲା । ବୋରେଓ୍ଵଲ ପାଖରେ ଖୋଳା ଯାଉଥିବା ଗାତ ମେସିନ ଦ୍ୱାରା ଖୋଳା ଯାଇଥିଲା । ତେବେ ପଥୁରିଆ ଜାଗା ହେତୁ ମେସିନର କମ୍ପନରେ ତନ୍ମୟ ତଳକୁ ତଳକୁ ଖସିବାକୁ ଲାଗିଥିଲା । ତେଣୁ ବାଧ୍ୟ ହୋଇ ମେସିନ୍‌ ଦ୍ୱାରା ଖୋଳା ନଯାଇ  ଉଦ୍ଧାରକାରୀମାନେ ହାତରେ ଗାତ ଖୋଳିବା ଆରମ୍ଭ କରିଥିଲେ । ଖାଲି କ୍ୟାମେରା ଦ୍ୱାରା ତାର ଗତିବିଧି ଉପରେ ନଜର ରଖାଯାଇଥିଲା

ସୂଚନା ଅନୁସାରେ ୪୦୦ ଫୁଟ ବୋରେଓ୍ଵଲ ଭିତରେ ପ୍ରାୟ ୫୦ କି ୬୦ ଫୁଟ ତଳେ ତନ୍ମୟ ଫସି ରହିଥିଲା । ଏନ୍‍ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । କିନ୍ତୁ କେହିବି ତନ୍ମୟକୁ ବଞ୍ଚାଇ ପାରିଲେନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.