ଠାଣେ: ଫୁଟବଲ୍ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ କ୍ଲବ ଉପରେ ଏକ ବିଲ୍ଡିଂର ଟିଣ ଶେଡ୍ ପଡ଼ି ୯ ଜଣ ପିଲା ଆହତ ହୋଇଛନ୍ତି । ସେଠାରେ ଉପସ୍ଥିତ ଲୋକମାନେ କହିଛନ୍ତି ଯେ ଶେଡ୍ ଭୁଶୁଡ଼ିବା କାରଣରୁ କ୍ଲବ ପରିସରରେ ଖେଳୁଥିବା ଅନେକ ପିଲା ଗୁରୁତର ଆହତ ହୋଇଛନ୍ତି ।
ଏହି ଘଟଣାରେ ଶିବସେନା ବିଧାୟକ ପ୍ରତାପ ସରନାୟକ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଭେଟିଛନ୍ତି । ବିଧାୟକ କହିଛନ୍ତି ଯେ ଟର୍ଫ କ୍ଲବ ପରିସରରେ ଫୁଟବଲ ଖେଳିବାକୁ ପ୍ରାୟ ୧୮ ଜଣ ପିଲା ଯାଇଥିଲେ । ଏହି ସମୟରେ ପ୍ରବଳ ପବନ ଯୋଗୁ ଅନ୍ୟ ବିଲ୍ଡିଂର ଟିଣ ଶେଡ୍ ପିଲାମାନଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ ୯ ଜଣ ପିଲା ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୁଁ ଏହି ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି ।
ସେ ଆହୁରି କହିଛନ୍ତି ଯେ ପରିବାର ଲୋକେ ଆଦ୍ରୌ ବିଚଳିତ ହୁଅନ୍ତୁ ନାହିଁ । ସମସ୍ତ ଦାୟିତ୍ୱ ଆମେ ଗ୍ରହଣ କରିବୁ ବୋଲି ଡାକ୍ତର ଏବଂ ପ୍ରଶାସନକୁ କହିଛୁ । ଆହତମାନଙ୍କର ଚିକିତ୍ସା ଜାରି ରହିଛି ।
କହି ରଖୁଛୁ ଯେ ଗତ ୧ ମାସ ତଳେ ମୁମ୍ବାଇରେ ପ୍ରବଳ ଝଡ଼ତୋଫାନ ଏବଂ ବର୍ଷା ବେଳେ ଏକ ବିରାଟ ହୋର୍ଡିଂ ଭାଙ୍ଗି ପଡିଥିଲା । ଏହି ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଲ୍ବୋର୍ଡ ଦୁର୍ଘଟଣା ୧୬ ଜଣଙ୍କ ଜୀବନ ନେଇଥିଲା । ଭଗ୍ନାବଶେଷ ତଳୁ କାର୍ ସମେତ ୭୦ରୁ ଅଧିକ ଯାନବାହାନକୁ ଭଙ୍ଗାରୁଜା ଅବସ୍ଥାରେ ବାହାର କରାଯାଇଥିଲା ।
ଏହି ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଟିମ୍ ବିଲବୋର୍ଡର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଭବେଶ ଭିଣ୍ଡେଙ୍କୁ ରାଜସ୍ଥାନରୁ ଗିରଫ କରିଥିଲା । ସେ ଉଦୟପୁରରେ ଲୁଚି ରହିଥିଲେ ।